ବିଧାନସଭାରେ ଘଣ୍ଟଗିନି ବାଡେଇ ପୁଣି କଂଗ୍ରେସର ପ୍ରତିବାଦ, ୧୨ ଜଣଙ୍କୁ ନିଲମ୍ବନ, ଗୃହରେ ରାତିସାରା ପ୍ରତିବାଦ

Odisha Hot News
2 Min Read

ଭୁବନେଶ୍ବର: ଆଜି ମଧ୍ୟ ବିଧାନସଭାରେ ଅସ୍ବାଭିବିକ ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟରେ ଘଣ୍ଟ, ଗିନି ଏବଂ ବଂଶୀ ବଜାଇ ପ୍ରତିବାଦ କରିଛନ୍ତି। ଫଳରେ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବି ରଖିଥିଲେ। ହେଲେ ଅପରାହ୍ନରେ ପୁଣି ଗୃହ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ସେହିପରି ଘଣ୍ଟପିଟି ପ୍ରତିବାଦ କରିଥିଲେ। ଫଳରେ କଂଗ୍ରେସର 12 ଜଣ ବିଧାୟକଙ୍କୁ 7 ଦିନ ପାଇଁ ଗୃହରୁ ନିଲମ୍ବନ କଲେ ବାଚସ୍ପତି।

ଏହାପରେ ବାଚସ୍ପତି ଗୃହକୁ ଆସନ୍ତାକାଲି ବୁଧବାର ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ। ଗୃହ ମୁଲତବି ହୋଇଥିଲେ ମଧ୍ୟ କଂଗ୍ରେସ ସଦସ୍ୟମାନେ ଗୃହ ଛାଡି ନ ଥିଲେ। ସେମାନେ କହିଥିଲେ ଯେ, ଆସନ୍ତାକାଲି ପର୍ଯ୍ୟନ୍ତ ସେମାନେ ଏହି ଗୃହରେ ରହି ପ୍ରତିବାଦ କରିବେ। ସେମାନଙ୍କ କଥା ନ ଶୁଣିବା ପର୍ଯ୍ୟନ୍ତ ଗୃହରେ ପ୍ରତିବାଦ କରାଯିବ ବୋଲି କଂଗ୍ରେସ ବିଧାୟକ କହିଛନ୍ତି।

ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଥିବାରୁ ସେ ନେଇ ଗୃହରେ ଆଲୋଚନା କରାଯାଉ ବୋଲି କଂଗ୍ରେସ ସଦସ୍ୟମାନେ ଦାବୀ କରିଛନ୍ତି। ଏ ନେଇ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ସେମାନେ କହୁଛନ୍ତି। ହେଲେ ରାଜ୍ୟ ସରକାର ତାଙ୍କ କଥା ନ ଶୁଣିବାରୁ ଏହି ପ୍ରତିବାଦ କରାଯାଉଛି ବୋଲି କଂଗ୍ରେସ ବିଧାୟକ କହିଛନ୍ତି।

ବାଚସ୍ପତି ଯେଉଁ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି ସେମାନେ ହେଲେ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକା।

ତେବେ ଶାସକ ବିଜେପି ସଦସ୍ୟଙ୍କ କହିବା କଥା ଯେ, ଉପବାଚସ୍ପତି ସେମାନଙ୍କୁ ଗୃହରେ ପ୍ରତିବାଦ କରିବା ପାଇଁ କହିଥିଲେ। ହେଲେ ଗୃହ ମଧ୍ୟରେ କୌଣସି ଅଶୋଭନୀୟ ଆଚରଣ ପ୍ରଦର୍ଶନକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଥିଲେ। ହେଲେ କଂଗ୍ରେସ ସଦସ୍ୟ ଆଜି ମଧ୍ୟ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ଫଳରେ ବାଚସ୍ପତି ବାଧ୍ୟ ହୋଇ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବିଜେପି କହିଛି।

Share This Article