ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ୪ ପେସରଙ୍କ ସହ ଓହ୍ଲାଇବ ଟିମ୍ ଇଣ୍ଡିଆ, ପନ୍ତ ଫିଟ୍

Odisha Hot News
1 Min Read

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୯ ତାରିଖରୁ ୱେଲିଂଟନର ବେସିନ୍ ରିଜର୍ଭ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଅନୁଷ୍ଠିତ ପ୍ରେସ୍ କନଫରେନ୍ସରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଦଳର ରଣନୀତିକୁ ନେଇ ବୟାନ ରଖିଛନ୍ତି । ଶୁବମନ ବୟାନ ଅନୁଯାୟୀ, ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇପାରେ ।

ଗିଲ୍ କହିଛନ୍ତି, ଭାରତୀୟ ଦଳ ପାଖରେ ଅନେକ ଭଲ ଦ୍ରୁତ ବୋଲର ରହିଛନ୍ତି । ୱେଲିଂଟନ ଟେଷ୍ଟରେ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାକୁ ଦଳର ଯୋଜନା କରୁଛି । ଭାରତୀୟ ଦଳରେ ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଗୁରନୁର ବ୍ରାରର, ମହମ୍ମଦ ସିରାଜ ଏବଂ ଅଂଶୁଲ କାମ୍ବୋଜଙ୍କ ଭଳି ବୋଲର ରହିଛନ୍ତି । ତେବେ ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶରେ ଯଶପ୍ରୀତ ବୁମରା, ପ୍ରସିଦ୍ଧ କୃଷ୍ଣା, ଗୁରନୁର ବ୍ରାରର ଏବଂ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିପାରେ । ବୁମ୍ରା, ପ୍ରସିଦ୍ଧ ଓ ସିରାଜଙ୍କ ପାଖରେ ଏକାଠି ଖେଳିବାର ଭଲ ଅଭିଜ୍ଞତା ରହିଛି ।

ରିଷଭ ପନ୍ତଙ୍କ ଫିଟନେସ ଭଲ ରହିଛି । ପ୍ରଥମ ଟେଷ୍ଟ ପାଇଁ ଫିଟ୍ ଘୋଷିତ ହୋଇସାରିଛନ୍ତି । ଏବେ ୱେଲିଂଟନର ନେଟ୍ସରେ ସେ ଜୋରଦାର ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । କେବଳ ବ୍ୟାଟିଂ ନୁହେଁ, ୱିକେଟ୍ କିପିଂ ଅଭ୍ୟାସ ମଧ୍ୟ କରିଛନ୍ତି ପନ୍ତ ।

ପ୍ରଥମ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ :

ଶୁବମନ ଗିଲ୍ (ଅଧିନାୟକ), ଯଶସ୍ବୀ ଜୟସୱାଲ, ଦେବଦତ୍ତ ପାଡିକ୍କିଲ, ରିଷଭ ପନ୍ତ (ୱିକେଟ କିପର), କେଏଲ ରାହୁଲ, ରବିନ୍ଦ୍ର ଜାଡେଜା, ନୀତିଶ କୁମାର ରେଡ୍ଡୀ, ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାରର, ମହମ୍ମଦ ସିରାଜ ।

Share This Article