ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ

Odisha Hot News
2 Min Read

ଭୁବନେଶ୍ୱର: ଜୁଲାଇ ୩୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ୪ ଦିନିଆ ପରିଦର୍ଶନରେ ଆସିଥିବା ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳର ଗସ୍ତ ଆଜି ଶେଷ ହୋଇଛି।

ବିଶ୍ୱବିଦ୍ୟାଳୟର ଡେପୁଟି ଡାଇରେକ୍ଟର ଡକ୍ଟର ଫୁକ ମିନ ହିପଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ଶନିବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ।

ଏହି ଅବସରରେ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଡାଟା ସାଇନ୍ସ ବିଭାଗର ମୁଖ୍ୟ ଡକ୍ଟର ଡାଓ ଭାନ ତୁଏଟ ମଧ୍ୟ ଉପସ୍ଥିତ ଥିଲେ।

ସୋଆର ବିଭିନ୍ନ ଅନୁଷ୍ଠାନ ଗୁଡ଼ିକ ପରିଦର୍ଶନ କରିବା ପରେ ଏଠାରେ ଥିବା ବ୍ୟବସ୍ଥା ଓ ସୁଯୋଗକୁ ଦେଖି ଖୁସି ବ୍ୟକ୍ତ କରିବା ସହ ଏହାଦ୍ୱାରା ପ୍ରତିନିଧି ଦଳ ପ୍ରଭାବିତ ହୋଇଥିବା ପ୍ରକାଶ କରିଥିଲେ। ପ୍ରତିନିଧି ଦଳଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଆତିଥ୍ୟକୁ ନେଇ ମଧ୍ୟ ସେମାନେ ଖୁସି ବ୍ୟକ୍ତ କରିଥିଲେ।

ସୋଆର ମେଡିକାଲ୍ କଲେଜ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ଜେନୋମିକ୍ସ, ବାୟୋ-ଇନ୍‌ଫର୍ମାଟିକ୍ସ, ଫାର୍ମାସ୍ୟୁଟିକାଲ୍‌ସ, ଡାଟା ସାଇନ୍ସ ଓ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଏସ୍‌ଆଇୟୁ ମଧ୍ୟ ଏହି ସବୁ ବିଷୟକୁ ନେଇ ସୋଆ ସହ ଶୈକ୍ଷିକ ଓ ଗବେଷଣା କ୍ଷେତ୍ରରେ ସହଯୋଗିତା ନିମନ୍ତେ ଉତ୍ସୁକ ବୋଲି ଡକ୍ଟର ହିପ୍ କହିଥିଲେ।
ଭିଏତନାମ ପ୍ରତିନିଧି ଦଳ ସୋଆର ବିଭିନ୍ନ ବିଭାଗର ଫ୍ୟାକଲ୍ଟିମାନଙ୍କ ସହ ଆଲୋଚନା କରିବା ସହ ପ୍ରଶିକ୍ଷଣ ସୁବିଧାଗୁଡ଼ିକ ମଧ୍ୟ ବୁଲି ଦେଖିଥିଲେ।

ପ୍ରଫେସର (ଡକ୍ଟର) ନାୟକ କହିଥିଲେ ଯେ ଏସ୍‌ଆଇୟୁ ସୋଆ ସହଯୋଗିତା ନେଇ ଏକ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ଆବଶ୍ୟକ। ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ଆଲୋଚନା ସମୟରେ ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ ଏବଂ ଇନ୍‌ଟରନ୍ୟାସ୍‌ନାଲ୍ ରିଲେସନ୍ସର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

ଡକ୍ଟର ହିପ୍ ଏବଂ ଅନ୍ୟ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଂଚିବା ପରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଫେସର, ଗବେଷକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ।

ଏହା ପ୍ରତିନିଧି ଦଳ ଭୁବନେଶ୍ୱର ବିଭିନ୍ନ ଐତିହାସିକ ସ୍ଥଳୀ ବୁଲି ଦେଖିଥିଲେ।

Share This Article