ସୋଆ ଆଇବିସିଏସ୍‌ରେ କନ୍‌ଭରଜେନ୍ସ-୨୦୨୪ ଆୟୋଜିତ

Odisha Hot News
2 Min Read

ଭୁବନେଶ୍ୱର: ଶିକ୍ଷା ଗ୍ରହଣ ଜୀବନର ଏକ ଅସରନ୍ତି ପ୍ରକ୍ରିୟା ଏବଂ ଏହି ପ୍ରତିଯୋଗିତାମୂଳକ ପୃଥିବୀରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ଶାଣିତ କରିବା ନିମନ୍ତେ ଉଦ୍ୟମ ଜାରି ରଖିବା ଉଚିତ୍ ବୋଲି ପୁଡୁଚେରୀର ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ କୁମାର ପରିଡା କହିଛନ୍ତି।

ସଫଳତା ପାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ, ଇଚ୍ଛାଶକ୍ତି ଏବଂ ଆଗକୁ ବଢ଼ିବାର ସ୍ୱପ୍ନ ଦେଖିବାର ଆବଶ୍ୟକତା ରହିଛି। ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ଆୟୋଜିତ ଦୁଇ ଦିନିଆ ବାର୍ଷିକ ବି-ସ୍କୁଲ୍ ମିଟ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘କନ୍‌ଭରଜେନ୍ସ-୨୦୨୪’ ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପରିଡ଼ା ଏହା କହିଛନ୍ତି।

ଶ୍ରୀ ପରିଡ଼ା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ଅବସରରେ ନିଜର ବିଭିନ୍ନ ଅନୁଭୂତି ବଖାଣି ଛାତ୍ରଛାତ୍ରୀମାନେ ସବୁବେଳେ ପରିବର୍ତନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ନାବାର୍ଡ ଭୁବନେଶ୍ୱରର ଡେପୁଟି ଜେନେରାଲ ମ୍ୟାନେଜର ଡକ୍ଟର ସମୀର କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଠିନ କାର୍ଯ୍ୟ ଓ ତ୍ୱରିତ କାର୍ଯ୍ୟଧାରା ଉପରେ ଗୁରୁତ୍ୱାରୋପ କରିଥିଲେ । ନୈତିକତାର ସହ କାର୍ଯ୍ୟ କରିବାକୁ
ସେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଫ୍ୟାକଲ୍ଟି, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ପ୍ରଫେସର ସାମନ୍ତରାୟ ନିଜ ଅନୁଭୂତିରୁ ବ୍ୟକ୍ତିଗତ ଓ ବୃତିଗତ ସଫଳତା ପାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ତଥ୍ୟ ରଖିଥିଲେ। ପ୍ରଫେସର ଦାସ ଜୀବନର ଉନ୍ନତି ନିମନ୍ତେ, କଠିନ ପରିଶ୍ରମ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

କନ୍‌ଭରଜେନ୍ସ-୨୦୨୪ର କୋଅର୍ଡିନେଟର ପ୍ରଫେସର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅନ୍ୟତମ କୋଅର୍ଡିନେଟର ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Share This Article