‘ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିବାରୁ ଗର୍ବିତ’

Odisha Hot News
3 Min Read

ଭୁବନେଶ୍ୱର, ୯।୧୦(କ୍ରୀଡ଼ା ପ୍ରତିନିଧି)-
ବାଂଲାଦେଶର ଚିଟ୍ଟାଗଙ୍ଗ ଓ କକ୍ସବଜାରଠାରେ ଅନୁଷ୍ଠିତ ହୋଇ ଯାଇଛି ଏଏଫସି ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ। ପ୍ରତିଯୋଗିତାର ଏହି ୭ମ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଛି ଟିମ୍‌ ଇଣ୍ଡିଆ। ଚାମ୍ପିୟନ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ ଓଡ଼ିଶାର ରାଜେଶ ମହାନ୍ତି। ବାଂଲାଦେଶ ମାଟିରେ ଏସିଆ କପ୍‌ ଚାମ୍ପିୟନ ହେବାର ଅନୁଭୂତି ନେଇ ସୋମବାର ଭୁବନେଶ୍ୱର ଫେରିଛନ୍ତି ଏହି ଓଡ଼ିଆ କ୍ରିକେଟ ପ୍ରତିଭା। ଟୁର୍ନାମେଣ୍ଟରୁ ମୋର ପ୍ରଚୁର ଅନୁଭୂତି ଲାଭ ହୋଇଛି ଏବଂ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିବାରୁ ମୁଁ ଗର୍ବିତ ବୋଲି ଧରିତ୍ରୀ ସହ କଥା ହେବାବେଳେ ପ୍ରକାଶ କରିଛନ୍ତି ରାଜେଶ।
”ଜୁନିୟର ଏସିଆ କପ୍‌ର ପିଚ୍‌ଗୁଡ଼ିକ ସାଧାରଣତଃ ସ୍ପିନିଂ ଟ୍ରାକ୍‌ ଥିଲା। ମୋତେ ବିଶେଷ ସହାୟକ ହୋଇ ନ ଥିଲା। ମୁଁ ଫାଇନାଲକୁ ମିଶାଇ ପ୍ରତିଯୋଗିତାରେ ମୋଟ ୩ଟି ମ୍ୟାଚ ଖେଳିଥିଲି। ମାତ୍ର ପିଚ୍‌ ସ୍ପିନରଙ୍କୁ ସୁହାଇଥିବାରୁ କୌଣସି ମ୍ୟାଚରେ ସମ୍ପୂର୍ଣ୍ଣ କୋଟା ପୂରଣ କରିପାରି ନ ଥିଲି। ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ମୁଁ ବିଶେଷ ଖୁସି ନାହିଁ, ତେବେ ସାମଗ୍ରିକ ଭାବେ ଦେଖିବାକୁ ଗଲେ ଦଳ ଚାମ୍ପିୟନ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ“ ବୋଲି କହିଛନ୍ତି ଏହି ଡାହାଣହାତୀ ମିଡିୟମ ଫାଷ୍ଟ ବୋଲର। ବାଂଲାଦେଶ ବିପକ୍ଷ ସେମିଫାଇନାଲରେ ଭାରତୀୟ ଦଳକୁ ସବୁଠାରୁ କଡ଼ା ଚ୍ୟାଲେଞ୍ଜ ମିଳିଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ମାତ୍ର ୨ ରନରେ ବିଜୟୀ ହୋଇଥିଲା। ଅନ୍ୟ ସବୁ ମ୍ୟାଚରେ ପ୍ରାୟ ଆମ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ବୋଲି ପୁରୁଣା ଭୁବନେଶ୍ୱରସ୍ଥିତ ରାମେଶ୍ୱର ସ୍ପୋର୍ଟିଂରେ ଦୀପକ ମଙ୍ଗରାଜଙ୍କଠାରୁ ପ୍ରଶିକ୍ଷଣପ୍ରାପ୍ତ ରାଜେଶ ପ୍ରକାଶ କରିଛନ୍ତି। ରାଜେଶ ପ୍ରଥମେ ନେପାଳ ବିପକ୍ଷ ମ୍ୟାଚରେ ଖେଳି ୬ ଓଭର ବୋଲିଂ କରିଥିଲେ ଏବଂ ଗୋଟିଏ ମେଡେନ ନେଇ ୨୨ ରନ ବ୍ୟୟ କରିଥିଲେ। ୟୁନାଇଟେଡ ଆରବ ଏମିରେଟ୍ସ ବିପକ୍ଷ ମ୍ୟାଚରେ ସେ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ ସଫଳତା ପାଇଥିଲେ। ଏହି ମ୍ୟାଚରେ ସେ ୬ ଓଭର ବୋଲିଂ କରି ୨୮ ରନ ବିନିମୟରେ ଗୋଟିଏ ଉଇକେଟ ନେଇଥିଲେ। ଫାଇନାଲରେ ସେ ୪ ଓଭର ବୋଲିଂ କରି ଗୋଟିଏ ମେଡେନ ସହ ୧୮ ରନ ବ୍ୟୟ କରିଥିଲେ। ” ମୁଁ ଗତ ୪ ବର୍ଷ ହେଲା ରାମେଶ୍ୱର ସ୍ପୋର୍ଟିଂ ପକ୍ଷରୁ ଖେଳି ଆସୁଛି। ଦୀପକ ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଁ ବୋଲିଂକୁ ମାର୍ଜିତ କରି ଆଗକୁ ବଢ଼ୁଛି। ଆଗାମୀ ରଣଜୀ ସିଜନରେ ପଦାର୍ପଣ କରିବା ମୋର ପ୍ରଥମ ଲକ୍ଷ୍ୟ, ସେଥିରେ ଭଲ ଖେଳି ଭବିଷ୍ୟତରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋର ସ୍ବପ୍ନ ରହିଛି“ ବୋଲି କହିଛନ୍ତି ରାଜେଶ।
‘ମୋ ସ୍ବପ୍ନ ରାଜେଶଙ୍କ ମାଧ୍ୟମରେ ସାକାର କରିବି’
ମୁଁ ଖେଳାଳି ଜୀବନରେ ଦେଖିଥିବା ସ୍ବପ୍ନ ରାଜେଶଙ୍କ ମାଧ୍ୟମରେ ପୂରଣ କରିବାକୁ ଆଶା ରଖିଛି ବୋଲି କହିଛନ୍ତି ରାମେଶ୍ୱର ସ୍ପୋର୍ଟିଂ ସମ୍ପାଦକ ତଥା କୋଚ୍‌ ଦୀପକ ମଙ୍ଗରାଜ। ରାଜେଶ ରାମେଶ୍ୱର ଆସିବାବେଳେ କ୍ରିକେଟ ସମ୍ପର୍କରେ ସେପରି କିଛି ଜ୍ଞାନ ରଖି ନ ଥଲେ। ତାଙ୍କ ନିକଟରେ ପ୍ରତିଭା ଥିଲା। ତେଣୁ ଅଳ୍ପଦିନ କୋଚିଂ ନେବାପରେ ସେ ନିଜ ପ୍ରଦର୍ଶନ ମାଧ୍ୟମରେ ପ୍ରଭାବିତ କରିପାରିଲା। ସେ ରାଜ୍ୟ ପକ୍ଷରୁ ୧୬ ବର୍ଷରୁ କମ୍‌ ବର୍ଗରେ ଏକ ବର୍ଷ ଏବଂ ୧୯ ବର୍ଷରୁ କମ୍‌ରେ ୨ ବର୍ଷ ଖେଳି ଆସୁଛନ୍ତି। ପ୍ରଭାବୀ ପ୍ରଦର୍ଶନ ଯୋଗୁ ସେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଉଭୟ ୧୬ ବର୍ଷରୁ କମ୍‌ ଏବଂ ୧୯ ବର୍ଷରୁ କମ୍‌ କ୍ୟାମ୍ପରେ ପ୍ରଶିକ୍ଷଣ ପାଇଁ ମନୋନୀତ ହୋଇଥିଲେ। ଜୋନାଲ ମ୍ୟାଚ ଗୁଡ଼ିକରେ ମଧ୍ୟ ତାଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟୀର ରହିଥିଲା। ମୁଁ ଭାବୁଛି ରାଜେଶ ଏବେ ମାତ୍ର ଶିଡିର ଗୋଟିଏ ପାହାଚ ଚଢ଼ିଛନ୍ତି। ଆହୁରି ଅନେକ ବାଟ ଯିବାକୁ ଅଛି। ଭାଗ୍ୟ ସାଥ୍‌ ଦେଲେ ସେ ରଣଜୀ ଦଳରେ ଭଲ ପ୍ରଦର୍ଶନ କରି ଜାତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ପାରିବେ। ମୁଁ ମୋ ଖେଳ ଜୀବନରେ ଜାତୀୟ ଦଳରୁ ଖେଳିବି ବୋଲି ସ୍ବପ୍ନ ଦେଖିଥିଲି। ତାହା ପୂରଣ ହୋଇପାରି ନ ଥିଲା। ଏବେ ଜଣେ କୋଚ୍‌ ଭାବେ ରାଜେଶଙ୍କ ମାଧ୍ୟମରେ ମୁଁ ସେହି ସ୍ବପ୍ନ ସାକାର କରିପାରିବି ବୋଲି ଆଶା ରଖିଛି। ରାଜେଶଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କହିଛନ୍ତି ଦୀପକ।

Share This Article
Leave a comment