ଦୁବାଇ,୧୮।୯(ପି.ଟି.)- ୫ଥର ଟାଇଟଲ ହାସଲ କରିଥିବା ଶ୍ରୀଲଙ୍କା ଏଥର ଏସିଆ କପ୍ରୁ ବାଦ ପଡିଛି। ପ୍ରଥମେ ବାଂଲାଦେଶ ଓ ପରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇ ଶ୍ରୀଲଙ୍କା ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ଥାନୀୟ ସେଖ ଜାୟେଦ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଟୁର୍ନାମେଣ୍ଟର ତୃତୀୟ ମ୍ୟାଚ୍ରେ ଆଫଗାନିସ୍ତାନ ବୃହତ୍ ୯୧ ରନରେ ଶ୍ରୀଲଙ୍କାକୁ ହରାଇଛି। ପ୍ରଥମେ ଉପଯୋଗୀ ବ୍ୟାଟିଂ ଓ ପରେ ଚମତ୍କାର ବୋଲିଂ କରି ଆଫଗାନିସ୍ତାନ ଦିନିକିଆରେ ପ୍ରଥମଥର ପାଇଁ ଶ୍ରୀଲଙ୍କାକୁ ହରାଇ ଇତିହାସ ସୃଷ୍ଟି କରିଛି। ଅପେକ୍ଷାକୃତ ଦୁର୍ବଳ ମନେ କରାଯାଉଥିଲେ ମଧ୍ୟ ଆଫାଗନସ୍ଥାନ ଶେଷରେ ଶ୍ରୀଲଙ୍କାକୁ ଚକ୍ମା ଦେଇଛି। ଟସ୍ ଜିତି ଆଫଗିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୪୯ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୪୧.୨ ଓଭରରେ ୧୫୮ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ୭୨ ରନର ଉପଯୋଗୀ ପାଳି ଖେଳିଥିବା ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ରହମତ ଶାହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୨୫୦ ରନ ଟାଗେର୍ଟର ପିଛା କରି ଶ୍ରୀଲଙ୍କା ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରି ନ ଥିଲା। ଦଳ ଆରମ୍ଭରୁ ଝଟ୍କା ଖାଇଥିଲା। ଇନିଂସର ଦ୍ୱିତୀୟ ବଲରେ ଓପନର କୁଶଲ ମେଣ୍ଡିସ୍ ମୁଜିବ ଉର ରହମାନଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଉପୁଲ ଥରଙ୍ଗା ଓ ଧନଞ୍ଜୟ ଡି ସିଲଭା ଦ୍ୱିତୀୟ ଉଇକେଟରେ ୫୪ ରନ କରିଥିଲେ। ତେବେ ଧନଞ୍ଜୟ ୨୩ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ। କୁଶଲ ପେରେରା ୧୭ ରନ କରି ରସିଦ ଖାଁଙ୍କ ଶିକାର ହେବା ପରେ ଉପୁଲ ଥରଙ୍ଗାଙ୍କ ପାଳି ପଡିଥିଲା। ସେ ୩୬ ରନ କରିଥିବା ବେଳେ ଗୁଲବଦିନ ନାଇବଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍ ୨୨, ଶେହାନ ଜୟସୁରିୟା ୧୪, ଥିସାରା ପେରେରା ୨୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ୪ଜଣ ଟେଲ ଏଣ୍ଡର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦସୁନ ସନକା ଖାତା ଖୋଲିପାରି ନ ଥିବା ବେଳେ ଅକିଳ ଧନଞ୍ଜୟ ୨, ଲସିଥ ମାଲିଙ୍କା ୧ ରନ କରି ଆଉଟ ହୋଇଥିଲେ। ଦୁଷ୍ମନ୍ଥ ଚାମିରା ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ରହମାନ, ଗୁଲବଦିନ ନାଇବ, ମହମ୍ମଦ ନବି ଓ ରସିଦ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଶ୍ରୀଲଙ୍କାର ଦୁଇ ଜଣ ବ୍ୟାଟ୍ସମ୍ୟାନ ରନ୍ ଆଉଟ ହୋଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାର ଟପ୍ ଅର୍ଡର ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନର ମହମ୍ମଦ ଶାହଜାଦ ଓ ଇଶାନୁଲ୍ଲା ଜନତ ପ୍ରଥମ ଉଇକେଟ ଯୋଡିରେ ୫୭ ରନ ସଂଗ୍ରହ କରି ଭଲ ଆରମ୍ଭ ପ୍ରଦାନ କରିଥିଲେ। ଶାହଜାଦ ୩୪ ରନ କରି ଆଉଟ ହେବା ପରେ ଇଶାନୁଲ୍ଲା ୪୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଅସଘର ଆଫଗାନ ୧ ରନ କରି ଆଉଟ ହୋଇଥିଲେ। ଏହା ପରେ ରହମତ ଶାହ ସର୍ବାଧିକ ୭୨ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ହାସମାତୁଲ୍ଲା ସହିଦି ୩୭, ମହମ୍ମଦ ନବି ୧୫, ନାଜିବୁଲ୍ଲା ଜଡ୍ରାନ ୧୨, ରସିଦ୍ ଖାଁ ୧୩ ରନ କରି ଆଉଟ ହୋଇଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲେ ମଧ୍ୟ ଆଫଗାନିସ୍ତାନ ସମ୍ମାନଜନକ ସ୍କୋର ହାସଲ କରିବାକୁ ସକ୍ଷମ ହୋଇଥିଲା। ବୋଲିଂରେ ଶ୍ରୀଲଙ୍କା ତରଫରୁ ଥିସାରା ପେରେରା ୫୫ ରନ ବୟକରି ସର୍ବାଧିକ ୫ ଉଇକେଟ ହାସଲ କରିଥିଲା। ଅକିଲ ଦନଞ୍ଜୟ ୨, ଲସିଥ ମାଲିଙ୍ଗା, ଦୁଷ୍କନ୍ଥ ଚାମିରା, ଶେହାନ ଜୟସୁରିୟା ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୫୦ ଓଭରରେ ୨୪୯ ଅଲଆଉଟ
(ରହମତ- ୭୨, ଇଶାନୁଲ୍ଲା-୪୫, ଶାହଜାଦ- ୩୪, ହାସମାତୁଲ୍ଲା- ୩୭, ପେରେରା- ୫/୫୫, ଦନଞ୍ଜୟ- ୨/୩୯)।
ଶ୍ରୀଲଙ୍କା ୪୧.୨ ଓଭରରେ ୧୫୮ ଅଲଆଉଟ୍
(ଥରଙ୍ଗା- ୩୬, ପେରେରା- ୨୮, ଡି ସିଲଭା- ୨୩, ମାଥ୍ୟୁସ- ୨୨, ରହମାନ- ୨/୩୨, ନାଇବ- ୨/୨୯, ନବି- ୨/୩୦, ରସିଦ- ୨/୨୬)
ଆଫଗାନିସ୍ତାନ ଠାରୁ ହାରି ଶ୍ରୀଲଙ୍କା ବିଦା

Leave a comment
Leave a comment