ଭୁବନେଶ୍ୱର : ଥାନାରେ ଅଧିକ ସଂଖ୍ୟକ କର୍ମଚାରୀ ହେବେ ମୁତୟନ। ଥାନା ଗୁଡ଼ିକରେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କୋଭିଡ୍ ମୁକାବିଲା ବେଳେ ପୋଲିସର ସଂଯମ ଓ ମାନବିକତାକୁ ଉଚ୍ଚପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସ୍ପି ଓ ରେଞ୍ଜ ଡିଆଇଜିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ଓଡ଼ିଶା ପୋଲିସ ବାହିନୀକୁ ଏଭଳି ପ୍ରଶଂସା କରିଛନ୍ତି ନବୀନ ।
ସେହିପରି କୋଲକାତା ବାତ୍ୟା ସମୟରେ ସହାୟତା ଯୋଗାଇବାକୁ ଯାଇ ଓଡ୍ରାଫ୍ ଓ ଅଗ୍ନିଶମ ସେବାର କର୍ମଚାରୀମାନେ କରୋନା ଭୂତାଣୁରେ ସଂକ୍ରମିତ ହେବା ଘଟଣା ଚିନ୍ତା ଜନକ ବିଷୟ । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ନବୀନ । କରୋନା ଯୁଦ୍ଧ ସରିନାହିଁ, ଆମକୁ ଅଧିକ ସତର୍କ ହେବା ସହ ବୃତ୍ତିଗତ ଦକ୍ଷତାର ସହ କାମ କରିବାକୁ ପଡ଼ିବ ବୋଲି ପୋଲିସ ବାହିନୀକୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ ।
ପୋଲିସ ପ୍ରଶାସନ ଦ୍ୱାର ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ରାଜ୍ୟରେ କୌଣସି ପ୍ରବାସୀ ଚାଲିକରି ନଯାଆନ୍ତୁ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫୨୪ଟି ଟ୍ରିପ୍ ଜରିଆରେ ୨୪ ହଜାର ୫୮୭ ଆନ୍ତରାଜ୍ୟ ପଥଚାରୀଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯାଇଛି । ଘରୋଇ ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି । ୯ ହଜାର ୨୦୫ ଜଣ ମହିଳାଙ୍କ ସହ ଫୋନ୍ରେ ଯୋଗାଯୋଗ କରାଯାଇଛି ।

Comment