ଖାତା ଖୋଲିଲା ମୁମ୍ବାଇ

Odisha Hot News
2 Min Read

ମୁମ୍ବାଇ: ଚତୁର୍ଥ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଚମକିଛି। ହ୍ୟାଟ୍ରିକ୍ ପରାଜୟର ଅପଯଶକୁ ଭୁଲି ରବିବାର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନ୍‌ରେ ହରାଇଛି। ଚଳିତ ଆଇପିଏଲ୍‌ରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରି ପ୍ରଶଂସକଙ୍କୁ ଖୁସି କରିଛି। ରବିବାରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଛକା, ଚୌକା ବର୍ଷା କରି ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ଦିଲ୍ଲୀ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ବଢ଼ିବଢ଼ି ଚାଲିଥିବା ରନ୍ ହାର ଆଗରେ ହାରମାନି ଶେଷରେ ୨୦୫ ରନ୍‌ରେ ଅଟକି ଯାଇଥିଲା। ଫଳରେ ପୃଥ୍ବୀ ସ’ (୬୬), କ୍ରିଷ୍ଟନ୍ ଷ୍ଟବ୍ସ (୭୧) ଓ ଅଭିଷେକ ‌ପୋରେଲ (୪୧)ଙ୍କ ଲଢ଼ୁଆ ବ୍ୟାଟିଂ ବେକାର ଯାଇଥିଲା। ଦିଲ୍ଲୀ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରି ପଏଣ୍ଟ୍‌ ତାଲିକାର ସବାଶେଷ ସ୍ଥାନକୁ ଖସିଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ ପ୍ରଥମ ବିଜୟ ପରେ ଅଷ୍ଟମ ସ୍ଥାନ ପରିତ୍ୟାଗ କରିଛି।

ପ୍ରଥମ ତିନିଟି ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା (୪୯) ଓ ଈଶାନ କିଶନ (୪୨) ରବିବାର ଧମାକାଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ଦ୍ରୁତ ୮୦ ରନ୍ ଯୋଡ଼ିଥିଲେ। ରୋହିତ ଅର୍ଦ୍ଧଶତକଠାରୁ ମାତ୍ର ଗୋଟିଏ ରନ୍ ଦୂରରେ ଥାଇ ଅକ୍ଷର ପଟେଲଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇଥିଲେ। ତେବେ ଏହା ପୂର୍ବରୁ ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ଦିଲ୍ଲୀ ବିପକ୍ଷରେ ୧,୦୦୦ ରନ୍ ପୂରଣ କରିଥିଲେ। ଈଶାନ ମଧ୍ୟ ଅର୍ଦ୍ଧଶତକର ୮ ରନ୍ ପୂର୍ବରୁ ଅକ୍ଷରଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ରୋହିତ ଓ ଈଶାନଙ୍କ ବିସ୍ଫୋରକ ରୂପ ପାଇଁ ମୁମ୍ବାଇ ପାୱାର ପ୍ଲେ’ରୁ ବିନା କ୍ଷତିରେ ୭୫ ରନ୍ ଯୋଡ଼ିଥିଲା। ମଝି ଓଭରଗୁଡ଼ିକରେ ମୁମ୍ବାଇର ରନ୍ ସଂଗ୍ରହ ଗତିକୁ ଦିଲ୍ଲୀ ସାମାନ୍ୟ ରୋକିଥିଲା। ହେଲେ ଶେଷ ୫ ଓଭରରେ ପ୍ରଚୁର ରନ୍ ବ୍ୟୟ କରି ନିଜ ଗୋଡ଼କୁ ନିଜେ ହାଣିଥିଲା। ଏହି ୫ ଓଭରରୁ ମୁମ୍ବାଇ ୯୬ ରନ୍ ସଂଗ୍ରହ କରିଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୩୯ ରନ୍ କରିବା ପରେ ଟିମ୍ ଡେଭିଡ୍-ୱେଷ୍ଟଇଣ୍ଡିଆନ୍ ଅଲରାଉଣ୍ଡର୍ ରୋମାରିଓ ସେଫର୍ଡ ମାତ୍ର ୩୧ ବଲ୍‌ରୁ ୮୧ ରନ୍ ବାହାର କରି ଦିଲ୍ଲୀର ହୋସ୍ ଉଡ଼ାଇ ଦେଇଥିଲେ। ସେଫର୍ଡ ଶେଷ ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂକୁ ଏକପ୍ରକାର ଧ୍ବସ୍ତ ବିଧ୍ବସ୍ତ କରି ଦେଇଥିଲେ। ଅନରିକ ନର୍ଖିୟାଙ୍କ ଏହି ଓଭରରୁ ତାଙ୍କ ୩୨ ରନ୍ ଅମଳର କ୍ରମ ଥିଲା ୪,୬,୬,୬,୪,୬। ମାତ୍ର ୧୦ ବଲ୍‌ରୁ ୩୯ ରନ୍ କାଢ଼ି ସେ ହିଁ ମୁମ୍ବାଇ ‌ସ୍କୋର୍‌କୁ ୨୩୪ରେ ପହଞ୍ଚାଇ ଦେଇଥିଲେ। ଶେଷ ୮ ବଲ୍‌ରୁ ମୁମ୍ବାଇ ଅବିଶ୍ବସନୀୟ ଭାବେ ୪୨ ରନ୍ କରିଥିଲା। ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସର ଏହା ସର୍ବୋଚ୍ଚ ଏବଂ ମୋଟ ଉପରେ ତୃତୀୟ ସର୍ବୋଚ୍ଚ ଦଳଗତ ସ୍କୋର। ଅନ୍ୟପକ୍ଷରେ ନର୍ଖିୟା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ନିଜ ୪ ଓଭରରେ ୬୫ ରନ୍ ବ୍ୟୟ କରିଥିଲେ। ଚିନ୍ତାର ବିଷୟ ଯେ ଦିଲ୍ଲୀର ଗତ ୪ ମ୍ୟାଚ୍‌ରେ ନର୍ଖିୟା ମୋଟ ୨୩୪ ରନ୍ ବ୍ୟୟ କରି ଅଲୋଡ଼ା କୀତ୍ତିମାନ କରିଛନ୍ତି। ଅନ୍ୟପକ୍ଷରେ ଦୀର୍ଘ ଦିନ ପରେ ଫେରିଥିବା ମୁମ୍ବାଇ ମଧ୍ୟକ୍ରମ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନଥିଲେ।

Share This Article