ରତ୍ନ ନୁହେଁ, ଡାକ ଟିକଟ ଓ କଏନରେ ଆମେ ଖୁସ୍‍

Odisha Hot News
1 Min Read

ଭୁବନେଶ୍ୱର: ଜନ୍ମ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ଦିଆଗଲା, ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ ପୂର୍ବରୁ ଘୋଷଣା କରିବେ ବୋଲି ସାରାରାଜ୍ୟରେ ଆଲୋଚନା ହେଉଥିଲା। ଏହି ଆଲୋଚନା କିନ୍ତୁ ଆଲୋଚନାରେ ରହିଗଲା। ମୋଦି ଯାଜପୁର ଆସିଲେ ବିଜୁ ପଟ୍ଟନାୟକଙ୍କୁ କେବଳ ଶ୍ରଦ୍ଧାଞ୍ଜଳୀ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକପ୍ରିୟ ବୋଲି କହିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ସମ୍ପର୍କରେ କିଛି କହିଲେ ନାହିଁ। ଏଥିରେ ପ୍ରଚାରକାରୀମାନେ ଏବେ ମୁହଁ ଲୁଚାଇ ବୁଲୁଛନ୍ତି।

ଶାସକ ଦଳ ବିଜେଡି ଦୟାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତ୍ରାଳୟ ପକ୍ଷରୁ ବିଜୁ ବାବୁଙ୍କ ଉପରେ ଡାକ ଟିକଟ ଓ ୫ଟଙ୍କିଆ କଏନ ଜାରୀ କରାଯାଇଛି। ଏତିକିରେ ଓଡ଼ିଶାବାସୀ ଖୁସ୍‍। କାରଣ ଓଡ଼ିଆ ଲୋକମାନଙ୍କର ଜାତିପ୍ରୀତି ତଥା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ନ ଥିବାରୁ କେନ୍ଦ୍ରରେ ଥିବା ବିଭିନ୍ନ ଦଳର ସରକାରମାନେ ଅଣଦେଖା କରିଆସୁଛନ୍ତି। ଚଳିତ ବର୍ଷ ଚକୋଲେଟ୍‍ ବାଣ୍ଟିଲା ଭଳି କେନ୍ଦ୍ରର ବିଜେପି ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଉଦ୍ଦେଶ୍ୟରେ ୫ଜଣଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ କରିଛି।

ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଓଡ଼ିଆ ମନିଷୀମାନଙ୍କର ଅତୁଳନୀୟ ଅବଦାନ ଥିଲେ ହେଁ ସେମାନଙ୍କ ନାମ ଭାରତ ରତ୍ନ ଉପାଧି ପାଇଁ ବିଚାରକୁ ନଆଯାଉନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Share This Article