ନବୀନ ସରକାରଙ୍କ ବିରୋଧରେ ମୋଦି କହିବେ କି ନାହିଁ ! ଚିନ୍ତାରେ ରାଜ୍ୟ ବିଜେପି ନେତା

Odisha Hot News
2 Min Read

ଭୁବନେଶ୍ବର: ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଏକ ସରକାରୀ ଗସ୍ତ ହୋଇଥିଲେ ମଧ୍ୟ ସେ ସମ୍ବଲପୁରରେ ଏକ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଛି। ଯାହା ସଂପୂର୍ଣ୍ଣ ଦଳିୟ କାର୍ଯ୍ୟକ୍ରମ। ସେଥିପାଇଁ ଓଡିଶା ବିଜେପି ବେଶ ଚଳଚଞ୍ଚଳ ହୋଇ ଉଠିଛି। ପୁରା ଟିମ ବର୍ତ୍ତମାନ ସମ୍ବଲପୁରରେ ଡେରା ପକାଇଛନ୍ତି।

ମୋଦି ଏହି ଗସ୍ତରେ ଓଡିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବଚନ ପ୍ରଚାରର ମୂଳଦୂଆ ପକାଇବେ। ଅନ୍ୟପକ୍ଷରେ ସମ୍ବଲପୁରର ଲୋକସଭା ପାଇଁ ପ୍ରାର୍ଥୀ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ମୋଦି ଟିକିଏ ଅଧିକ ପ୍ରଚାର କରିବେ ବୋଲି ଦଳୀୟ କର୍ମି ବେଶ ଆଶା ପ୍ରକଟ କରିଛନ୍ତି। ସେହିପରି ମୋଦିଙ୍କ ଏହି ଗସ୍ତରେ ଧର୍ମେନ୍ଦ୍ର ମଧ୍ୟ ବହୁ ବଡ ଆଶା କରି ରହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି ଯେ, ମୋଦି ସମ୍ବଲପୁରର ସାଧାରଣ ସଭାରେ ନବୀନ ପଟ୍ଟନାୟକଙ୍କୁ ହଟାଅ ବୋଲି କହିବେ କି? ସେ ରାଜ୍ୟ ସରକାରଙ୍କ ବିଫଳତା ନେଇ ଭାଷଣ ଦେବେ କି ? ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଚାଲିଛି ଚର୍ଚ୍ଚା। ଏପରିକି ଦଳୀୟ ନେତାମାନେ ମଧ୍ୟ ମୋଦି କଣ କହିବେ ସେ ନେଇ ସନ୍ଦେହରେ ରହିଛନ୍ତି। ଯଦି ସେ ବିଜେଡି ସରକାର ବିରୋଧରେ କିଛି ନ କୁହନ୍ତି ତେବେ କଣ ହେବ ସେ ନେଇ ସେମାନେ ଏକ ଚିନ୍ତାଜନକ ସ୍ଥିତିରେ ଅଛନ୍ତି।

କାରଣ ବର୍ତ୍ତମାନ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଯେଉଁ ସଂପର୍କ ରହିଛି ସେଥିରେ ସେ ଏହା କହିବେ ତାହା ବିଶ୍ବାସ କରି ହେଉ ନାହିଁ। କେନ୍ଦ୍ର ସରକାରଙ୍କୁ ସବୁବେଳେ ନବୀନ ସହଯୋଗ ଦେଇ ଆସିଛନ୍ତି। ବିଭିନ୍ନ ଅସମୟରେ ସେ ବିଜେପି ସରକାରଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ମୋଦି ମଧ୍ୟ ଓଡିଶା ସରକାରଙ୍କୁ ବେଶ ସହଯୋଗ ମଧ୍ୟ କରି ଆସୁଛନ୍ତି।

ତେବେ ମୋଦିଙ୍କ ସମ୍ବଲପୁର ଗସ୍ତ ଧର୍ମେନ୍ଦ୍ରଙ୍କ ପାଇଁ ଏକ ଅଗ୍ନୀ ପରୀକ୍ଷା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଯଦି ସମ୍ବଲପୁର ଦଳିୟ ସଭାରେ ମୋଦି ବିଜେଡି ସରକାର ଏବଂ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ନ କହିବେ ତେବେ କଥା ସରିଲା। ଏହା ନିଶ୍ଚିତ ଭାବେ ଧର୍ମେନ୍ଦ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ମୋଦିଙ୍କୁ ସମ୍ବଲପୁର ଗସ୍ତକୁ ନେଇ ଧର୍ମେନ୍ଦ୍ର ଯେଉଁ ବଡ ଆଶା କରିଛନ୍ତି ତାହା ସଂପୂର୍ଣ୍ଣ ଫସର ଫାଟିଯିବ।

Share This Article