ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ ହେଲା “କାଉଁରୀ-୨୦୨୩”

Odisha Hot News
2 Min Read

ରଣପୁର: ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା “କାଉଁରୀ ମହୋତ୍ସବ” ପଞ୍ଚମ ବର୍ଷରେ ସଫଳତାର ସହ ପାଦ ଥାପିଛି। ଏହି ପଞ୍ଚମ ବର୍ଷର”କାଉଁରୀ ମହୋତ୍ସବ-୨୦୨୩” ପ୍ରଥମ ଦିବସର ମୁଖ୍ୟ ଅତିଥି ତଥା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି।

ମୁଖ୍ୟ ବକ୍ତା ଭାବେ ଜାତୀୟ ପର୍ଯ୍ୟଟକ ବିଭାଗର ଅଧ୍ୟକ୍ଷ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଭାବେ ନୟାଗଡ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ, ସେବା ଉତ୍ସବ ଅଧ୍ୟକ୍ଷ ଶିବରାମ ମହାପାତ୍ର, ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ସର୍ବ ପ୍ରଥମେ ମହାମହିମ ରାଜ୍ୟପାଳ ରିବନ କାଟି ମହୋତ୍ସବକୁ ଉଦଘାଟନ କରିଥିଲେ। ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ଏହାପରେ ମହାମହିମ ରାଜ୍ୟପାଳଙ୍କ ସମେତ ଅନ୍ୟ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସ୍ୱାଗତ କରାଯାଇଥିଲା। ଏହା ପରେ ଅତିଥିମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚ ସଂଚଳକ ଜୟେନ୍ଦ୍ର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ମହୋତ୍ସବର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସହଯୋଗ କରିଥିଲେ। ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ମଞ୍ଚ ସଂଚାଳନ କରିଥିଲେ।

ଏହି ପରିପ୍ରେକ୍ଷୀରେ ରାଜସୁନାଖଳାର ଐତିହ୍ୟ ପରମ୍ପରା, ଶିକ୍ଷା, କଳା, ସଂସ୍କୃତି ଓ ଇତିହାସକୁ ନେଇ ଏକ ବାର୍ଷିକ ବିଶେଷାଙ୍କ ”କାଉଁରୀ” ଉନ୍ମୋଚିତ ହୋଇ ଯାଇଛି।  ରାଜସୁନାଖଳାକୁ ଭଲ ପାଉଥିବା ପ୍ରତ୍ୟେକ କବି, ଲେଖକ ତଥା ବାହୁ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କର ଗଳ୍ପ, କବିତା ଆଦି ଏହି ପତ୍ରିକାରେ ସ୍ଥାନିତ ହୋଇଛି।

ରାଜସୁନାଖଳା ମହୋତ୍ସବ ପାଇଁ ନିର୍ଦ୍ଧିଷ୍ଟ ଜାଗା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ ରଣପୁର ବାର ଆସୋସିଏସନର ଅଧ୍ୟକ୍ଷ ଗିରିଜା କାନ୍ତ ମହାପାତ୍ର ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଥିଲେ।

ଏହି ଅବସରରେ ବିଭିନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ମହୋତ୍ସବ କମିଟି ତରଫରୁ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ରାଜ୍ୟପାଳ ମହୋଦୟଙ୍କୁ ମୁମେଣ୍ଟମ ଉପହାର ଭାବେ ପ୍ରଦାନ କରିଥିଲେ।

ମହାମହିମ ରାଜ୍ୟପାଳ କହିଥିଲେ ଯେ ମୁଁ ଏଠି ଜନସାଧାରଣଙ୍କ ସେବକ ଭାବେ ଉପସ୍ଥିତ ଅଛି। ଶହୀଦ ରଘୁଦିବାକରଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଉତ୍ସବ ବିନା ଜୀବନ ବ୍ୟର୍ଥ ଅଟେ। ତେଣୁ ସମୟ ସମୟରେ ଉତ୍ସବ କରି ଜୀବନକୁ ସାର୍ଥକ କରିବାର ଆବଶ୍ୟକତା ରହିଛି।

ଏହି ଉତ୍ସବ ମାଧ୍ୟମରେରେ ସଂସ୍କୃତି, ପ୍ରଥା, ପରମ୍ପରାର ପ୍ରଚାର ପ୍ରସାର ହୋଇ ପାରିଛି।  ଏହା ମାଧ୍ୟମରେ ସ୍ଥାନୀୟ କଳାକାରମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ପାଇ ପାରନ୍ତି। ସଭାକାର୍ଯ୍ୟ ପରେ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।

Share This Article