ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଏକାଡେମି ଉଦ୍‌ଘାଟିତ

Odisha Hot News
3 Min Read

ଭୁବନେଶ୍ବର: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌)ର ବହୁ ପ୍ରତୀକ୍ଷିତ ବିଶ୍ବସ୍ତରୀୟ ଏକାଡେମି ଭୁବନେଶ୍ବରରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଫିଫା ପ୍ରତିଭା ବିକାଶ ‌ଯୋଜନା (ଟିଡିଏସ୍‌) ଅଧୀନରେ ଭୁବନେଶ୍ବରସ୍ଥିତ ଓଡ଼ିଶା ଫୁଟ୍‌ବଲ୍‌ ଏକାଡେମିଠାରେ ଖୋଲାଯାଇଛି ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ୍‌ ଏକାଡେମି। କଳିଙ୍ଗ ଷ୍ଟାଡିୟମରେ ଭାରତ-କତର ଫିଫା ବିଶ୍ବକପ୍‌ ୨୦୨୬ ଓ ଏଏଫ୍‌ସି କପ୍‌ ସାଉଦି ଆରବିଆ ୨୦୨୭ ପ୍ରିଲିମିନାରି ଯୁଗ୍ମ କ୍ବାଲିଫିକେସନ ରାଉଣ୍ଡ-୨ ମ୍ୟାଚ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ଏକାଡେମିରେ ଦେଶରୁ ୫୦ ଜଣ ୧୪ ବର୍ଷରୁ କମ୍‌ ବୟସ ବର୍ଗର ପ୍ରତିଭାବାନ ଖେଳାଳି ମନୋନୀତ ହୋଇ ପ୍ରଶିକ୍ଷଣ ନେବେ। ସେଥିରେ ଓଡ଼ିଶାରୁ ୧୫ ଜଣ ମଧ୍ୟ ସାମିଲ ହେ‌‌ବେ। ଏହି ଏକାଡେମି ଜଣେ ଫିଫା ନିଯୁକ୍ତ ପ୍ରଶିକ୍ଷକଙ୍କ ତତ୍ବାବଧାନରେ ରହିବାକୁ ଥିବାବେଳେ ଅନ୍ୟ ପ୍ରଶିକ୍ଷକ ଓ ଷ୍ଟ‌ାଫ୍‌କୁ ଏଆଇଏଫଏଫ ଓ ଓଡ଼ିଶା ସରକାର ଯୋଗାଇଦେବେ। ‘ଫୁଟ୍‌ବଲ୍‌କୁ ଯୁବ ପିଢ଼ି ମଧ୍ୟରେ ଲୋକପ୍ରିୟ କରାଇବା ସହ ଭବି‌‌‌ଷ୍ୟତରେ ଭଲ ପ୍ରଦର୍ଶନ ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରିବା ଆମ ଲକ୍ଷ୍ୟ ରହିଛି। ଏଭଳି ଏକାଡେମି ପ୍ରତିଷ୍ଠା କରିବାରେ ଫିଫା ଓ ଏଆଇଏଫ୍‌ଏଫ୍‌ର ସହଯୋଗ ପାଇଁ ମୁଁ ବହୂତ ଖୁସି। ଫୁଟ୍‌ବଲ୍ ପ୍ରକଳ୍ପ ଗୁଡିକୁ ସରକାର ସମର୍ଥନ କରିବେ’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ପ୍ରକାଶ କରିଥିଲେ। ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ ସଭାପତି କଲ୍ୟାଣ ଚୌବେ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ୍ କ୍ରିଷ୍ଣା ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଓଡ଼ିଶା ଫୁଟ୍‌ବଲ୍‌ ଏକାଡେମିଠାରେ ଏଥିଲାଗି ଫିଫାର ବିଶ୍ବ ଫୁଟ୍‌ବଲ୍‌ ‌ବିକାଶ ମୁଖ୍ୟ ଆର୍ସେନ ୱେଙ୍ଗରଙ୍କ ଉପସ୍ଥିତିରେ ଏଆଇଏଫ୍‌ଏଫ୍‌ ଓ ଓଡ଼ିଶା ସରକାର ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ରରେ ଏଆଇଏଫ୍‌ଏଫ୍‌ ସଭାପତି କଲ୍ୟାଣ ଚୌବେ ଓ କ୍ରୀଡ଼ା ସଚିବ ଆର୍‌ ଭିନୀଲ କ୍ରିଷ୍ଣା ସ୍ବାକ୍ଷର କରିଛନ୍ତି। ଏହି ସମୟରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ଚୌବେ କହିଛନ୍ତି, ‘ଭାରତୀୟ ଫୁଟ୍‌ବଲ୍‌ର ଉନ୍ନତି ପାଇଁ ସହଯୋଗ କରିଥିବାରୁ ଓଡ଼ିଶା ସରକାର ଓ ଫିଫାକୁ ଧନ୍ୟବାଦ ଦେଉଛି। ଏହି ସଫଳତା ଯୋଗୁଁ ଆଜି ଭାରତରେ କିଂବଦନ୍ତି ୱେଙ୍ଗର ଉପସ୍ଥିତ ଅଛନ୍ତି। ତାଙ୍କର ମାର୍ଗଦର୍ଶନ, ନେତୃତ୍ୱ, ବୈଷୟିକ ଯୋଜନା ଓ ରଣନୀତି ଆମକୁ ସ୍ୱପ୍ନ ଦେଖିବାରେ ସାହାଯ୍ୟ କରିବ। ପ୍ରଥମେ ଆମେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବା ଏବଂ ଏହା ପରେ ଫିଫା ବରିଷ୍ଠ ବିଶ୍ବକପ୍‌ ଉପରେ ଲକ୍ଷ୍ୟ ରଖିବା। ଏହି ଆଶା କେବଳ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ୍‌ ଏକାଡେମି ‌ପାଇଁ ଆସୁଛି। ଏକାଡେମିରୁ ଆମେ ଆଗାମୀ ୩ ବ‌ର୍ଷ ମଧ୍ୟରେ ଏକ ଶ୍ରେଷ୍ଠ ୧୭ ବର୍ଷରୁ କମ୍‌ ଦଳ ପାଇପାରିବା।’
‘ମୋ ଦଳ ସହ ଭାରତ ଆସିଥିବାରୁ ବହୁତ ଖୁସି। ଏଠାକାର (ଓଡ଼ିଶା) ସୁବିଧା, ସୁଯୋଗ ଓ ଭିତ୍ତିଭୂମି ଉଚ୍ଚସ୍ତରୀୟ।

ଆମେ ଜାଣୁ ୨୧୧ ଦେଶରେ ଯୁବ ବର୍ଗ ପାଇଁ ପ୍ରକୃତ ଶିକ୍ଷାର ଅଭାବ ରହିଛି। ଭଲ ଦେଶରେ ଯୁବ ବର୍ଗ ପାଇଁ ଉଚ୍ଚସ୍ତରୀୟ ଶିକ୍ଷାର ବ୍ୟବସ୍ଥା ରହିଛି। ତେଣୁ ଅନେକ ଯୁବକ ସୁଯୋଗ ପାଇ ନଥାନ୍ତି। ବିଶ୍ବର ପ୍ରତ୍ୟେକ ପ୍ରତିଭାଙ୍କୁ ସୁଯୋଗ ଦେବା ଆମର ଲକ୍ଷ୍ୟ। ଭାରତରେ ପ୍ରତିଭା ଅନ୍ବେଷଣ କରି ମହାନ ଖେଳାଳି ଭାବେ ଗଢ଼ିବା ସହ ସେମାନଙ୍କୁ ଭଲ ଶିକ୍ଷା ଓ ପ୍ରତିନ୍ଦ୍ବନ୍ଦ୍ବିତା ଲାଗି ପ୍ରସ୍ତୁତ କରିବୁ। କିନ୍ତୁ ଏଥିପାଇଁ କେତେ ସମୟ ଲାଗିବ ଆମେ ଜାଣିନୁ। କିନ୍ତୁ ବିନା ଶିକ୍ଷାରେ ଆମେ ଆଗକୁ ବଢ଼ିପାରିବାନି। ଆମର ଲକ୍ଷ୍ୟ ଭାରତକୁ ବିଶ୍ବ ଫୁଟବଲ୍‌ ମାନଚିତ୍ରରେ ସ୍ଥାନ ଦେବା। କୌଣସି ଗୋଟିଏ ଦେଶ କେବେବି ଶୀର୍ଷରେ ରହିବାର ଆବଶ୍ୟକତା ନାହିଁ। ୧୫ ବର୍ଷ ବୟସରେ ଫୁଟ୍‌ବଲ୍‌ ଆରମ୍ଭ କରି ଆଗକୁ ବଢ଼ି ହେବନି। ‌ଏଥିପାଇଁ ୫ କିମ୍ବା ୬ ବର୍ଷ ବୟସରୁ ଫୁଟ୍‌ବଲ୍‌ ଆରମ୍ଭ କରିବା ଆବଶ୍ୟକ’ ବୋଲି ୱେଙ୍ଗର କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ‘ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ୍‌ ଏକାଡେମି ଭାରତରେ ପ୍ରଥମ। ଯାହାକି ବିଶ୍ବ କ୍ରୀଡ଼ା ହବ୍‌ରେ ଓଡ଼ିଶାର ଅଗ୍ରଗତିର ପ୍ରମାଣ। ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ସବୁ ସମ୍ଭବ ହୋଇପାରୁଛି।’ ଚୁକ୍ତି ସ୍ବାକ୍ଷର ପରେ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ। ‌ଶେଷ‌‌ରେ ୱେଙ୍ଗର ପଡ଼ିଆରେ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ୍‌ ଏକାଡେମିରେ ନିଯୁକ୍ତ ପ୍ରଶିକ୍ଷକଙ୍କ ସହ କିଛି ସମୟ ଆଲୋଚନା କରିଥିଲେ।

Share This Article