ଗୁଆହାଟୀ, ୨୧।୧୦(ପି.ଟି.)-ଭାରତୀୟ ହକିକୁ କଡ଼ା ସମାଲୋଚନା କରୁଥିବା ଅଷ୍ଟ୍ରେଲୀୟ ଲିଜେଣ୍ଡ ରିଚାର୍ଡ ଚାଲର୍ସଓ୍ବର୍ଥ ଏବେ ତାଙ୍କ ସ୍ବର ବଦଳାଇଛନ୍ତି। ଏସିଆନ୍ ଗେମ୍ସରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ସେ ଭାରତୀୟ ହକିକୁ ବେଶ୍ ପ୍ରଶଂସା କରିଛନ୍ତି। ଗତ ୩-୪ ବର୍ଷ ମଧ୍ୟରେ ଭାରତୀୟ ହକିରେ ବୈପ୍ଳବିକ ପରିବର୍ତ୍ତନ ହୋଇଛି ବୋଲି ସେ ମତ ଦେଇଛନ୍ତି।
ଜଣେ କୋଚ୍ ଓ ଖେଳାଳି ହିସାବରେ ଚାଲର୍ସଓ୍ବର୍ଥ ବିଶ୍ୱକପ୍ ଜିତିଛନ୍ତି। ଭାରତୀୟ ହକିର ପରିଚାଳନାକୁ ସେ ପୂର୍ବରୁ କଡ଼ା ସମାଲୋଚନା କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ଏଥିରେ ବିତସ୍ପୃହ ହୋଇ ସେ ଭାରତୀୟ ହକି ଟେକ୍ନିକାଲ ଡାଇରେକ୍ଟର ହିସାବରେ ମାତ୍ର ୧୦ ମାସ କାର୍ଯ୍ୟକରି ଇସ୍ତଫା ଦେଇଥିଲେ। ବାରମ୍ବାର କୋଚ୍ଙ୍କୁ ପରିବର୍ତ୍ତନ କରାଯିବା ନେଇ ସେ ଅପତ୍ତି ଉଠାଉଥିଲେ। ତେବେ ବର୍ତ୍ତାମାନ ଭାରତୀୟ ହକି ଠିକ୍ ଦିଗରେ ଗତି କରୁଛି ବୋଲି କହିଛନ୍ତି। ୩-୪ ବର୍ଷ ତଳେ ମୁଁ ଭାରତୀୟ ହକିକୁ ନେଇ ସେତେଟା ଆଶବାଦୀ ନ ଥିଲି। କିନ୍ତୁ ବର୍ତ୍ତମାନ ଏଥିରେ ବୈପ୍ଳବିକ ପରିବର୍ତ୍ତନ ଆସିଛି ବୋଲି ସେ କହିଛନ୍ତି। ଖେଳାଳିମାନେ ସେମାନଙ୍କ ଆଭିମୁଖ୍ୟ ବଦଳାଇଛନ୍ତି ଓ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଭାରତ ଦୁଇଟି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛି। ପ୍ରକୃତରେ ଦେଖିବାକୁ ଗଲେ ଗତ ସଂସ୍କରଣରେ ଭାରତ ଏବେ ଅଷ୍ଟ୍ରେଲିଆଠାରୁ ବେଶ୍ ଭଲ ଖେଳୁଛି। ଭାରତ କେବଳ ଶୁଟ୍ ଆଉଟ୍ରେ ପରାସ୍ତ ହୋଇଥିଲା ବୋଲି ଚାଲର୍ସଓ୍ବର୍ଥ କହିଛନ୍ତି।
ହକି ଇଣ୍ଡିଆ ଲିଗ୍ କାରଣରୁ ଏହି ପରିବର୍ତ୍ତନ ଆସିଛି। ଆନ୍ତର୍ଜାତିକ ଖେଳାଳିମାନଙ୍କ ସହ ନିୟମିତ ଭାବେ ଖେଳିବା କାରଣରୁ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ଉନ୍ନତି ଆସିଛି। ଭାରତରେ ହକି ପ୍ରତିଭାର ଅଭାବ ନାହିଁ। କିନ୍ତୁ ଏମାନଙ୍କୁ ବିକଶିତ ହେବାର ଆବଶ୍ୟକତା ରହିଛି।
ବିଂଶତମ ଶତାବ୍ଦୀର ପ୍ରଥମାର୍ଦ୍ଦରେ ଭାରତୀୟ ହକି ବିଶ୍ୱରେ ଆଧିପତ୍ୟ ବିସ୍ତାର କରିଥିଲା। ହକିକୁ ଭାରତ ଏକ ଭିନ୍ନ ରୂପ ଦେବାରେ ସଫଳ ହୋଇଥିଲା। ୭୦ ଦଶକରେ ଭାରତ ଓ ପାକିସ୍ତାନକୁ ହରାଇବା ଅଷ୍ଟ୍ରେଲିଆ ପାଇଁ କଷ୍ଟକର ଥିଲା। ତେବେ ଗତ ୩୦ ବର୍ଷ ମଧ୍ୟରେ ଭାରତୀୟମାନେ ଅଧିକ କିଛି ଶିକ୍ଷା କରିବାକୁ ଉତ୍ସାହିତ ନ ଥିଲେ। ଫଳରେ ଭାରତୀୟ ହକିର ଅବନତି ହୋଇଥିଲା ବୋଲି ସେ କହିଛନ୍ତି। ତେବେ ବର୍ତ୍ତମାନ କଥା ଅଲଗା ହୋଇଛି ଓ ଭାରତୀୟ ହକି ଉନ୍ନତି ପଥରେ ରହିଛି। ଖେଳାଳିମାନଙ୍କର ଆତ୍ମବିଶ୍ୱାସ ବଢିଛି। ନିଜର ପ୍ରତିଦ୍ୱନ୍ଦ୍ୱୀ ଓ ଖେଳ ସମ୍ପର୍କରେ ଖେଳାଳିମାନେ ବେଶ୍ ଭଲଭାବେ ଅବଗତ ରହିଛନ୍ତି। ସ୍ଥିର ପ୍ରଦର୍ଶନ ଉପରେ ମଧ୍ୟ ଖେଳାଳିମାନେ ଗୁରୁତ୍ୱ ଦେଉଛନ୍ତି। ତେବେ ଅନ୍ତିମ ମୁହୂର୍ତ୍ତରେ ଭାରତୀୟ ଖେଳାଳିମାନେ ତ୍ରୁଟି ସୁଧାରିବାରେ ବିଫଳ ହେଉଛନ୍ତି ବୋଲି ସେ କହିଛନ୍ତି। ଏସିଆନ ଗେମ୍ସରେ ମାଲେସିଆ ବିପକ୍ଷ ସେମିଫଇନାଲରେ ଏହା ଦେଖିବାକୁ ମିଳିଥିଲା। ଭାରତ ଶୁଟ୍ ଆଉଟ୍ରେ ହାରିଥିଲା। ଟୋକିଓ ଅଲିମ୍ପିକ୍ସ ପର୍ଯନ୍ତ ଭାରତୀୟ ସପୋର୍ଟ ଷ୍ଟାଫ୍ଙ୍କୁ ନେଇ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଅତ୍ୟଧିକ ପରିବର୍ତ୍ତନ କ୍ଷତିକାରକ ହୋଇଥାଏ। ଟେରୀ ଓ୍ବାଲ୍ସ ଓ ରୋଲେଣ୍ଟ ଅଲ୍ଟମ୍ୟାନ୍ସଙ୍କୁ ବହିସ୍କାର କରାଯାଇଥିଲା। ତେବେ ହରେନ୍ଦ୍ର ସିଂ କୋଚ୍ ହିସାବରେ ଭଲ ଭାବେ ଦାୟିତ୍ୱ ନର୍ବାହ କରୁଛନ୍ତି ବୋଲି ସେ କହିଛନ୍ତି। ତେଣୁ ଏବେକାର କୋଚ ଓ ସପୋର୍ଟଷ୍ଟାଫ୍ମାନଙ୍କୁ ବଜାୟ ରଖାଯିବା ଉଚିତ ବୋଲି ଚାଲର୍ସଓ୍ବର୍ଥ କହିଛନ୍ତି।
ଭାରତୀୟ ହକିରେ ବୈପ୍ଳବିକ ପରିବର୍ତ୍ତନ ହୋଇଛି: ଚାଲର୍ସଓ୍ବର୍ଥ

Leave a Comment
Leave a Comment