ପ୍ରଥମ ଆଦିବାସୀ ଉନ୍ନୟନ ମନ୍ତ୍ରୀଙ୍କ ସ୍ମୃତିରକ୍ଷାରେ କାର୍ପଣ୍ୟ

Odisha Hot News
2 Min Read

ରାଇରଙ୍ଗପୁର: ରାଜ୍ୟର ପ୍ରଥମ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ଗାଁରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର। ଯିଏ ଦିନେ ମନ୍ତ୍ରୀ ଥିବାବେଳେ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରୁଥିଲେ, ଏବେ ତାଙ୍କରି ଗାଁରେ ଥିବା ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଶ୍ରେଣୀଗୃହ ନଥିବାରୁ ଗୋଟିଏ କୋଠରିରେ ୬ଟି ଶ୍ରେଣୀର ପିଲା ପାଠପଢ଼ୁଛନ୍ତି ଏବଂ ୩ଜଣ ଶିକ୍ଷକ ଏକକାଳୀନ ପାଠ ପଢ଼ାଉଛନ୍ତି। ମୟୂରଭଞ୍ଜଜିଲ୍ଲା ଜାମଦା ବ୍ଲକ୍‌ ଅନ୍ତର୍ଗତ ହେଁସଡ଼ା ଗ୍ରାମର ଏହି ବିଦ୍ୟାଳୟକୁ ଦେଖିଲେ ଏହି ଦିବଂଗତ ଆଦିବାସୀ ନେତାଙ୍କ ସ୍ମୃତିରକ୍ଷା ପ୍ରତି ଯେ ପ୍ରଶାସନ ଆଦୌ ଧ୍ୟାନ ଦେଉନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି। ସ୍ବର୍ଗତ ସୁନାରାମ ସୋରେନ୍‌ ୧୯୫୨ ମସିହାରେ ସେତେବେଳେ ଗଠିତ ବହଳଦା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ତତ୍‌କାଳୀନ ନବକୃଷ୍ଣ ଚୌଧୁରୀଙ୍କ ସରକାରରେ ଆଦିବାସୀ ଉନ୍ନୟନ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେ ୧୯୫୬ ଅକ୍ଟୋବର ପର୍ଯ୍ୟନ୍ତ ମନ୍ତ୍ରୀ ଭାବେ ଦାୟିତ୍ବରେ ରହିଥିଲେ। ସେ ମନ୍ତ୍ରୀ ଥିବାବେଳେ ଆଦିବାସୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ବହୁ ଉଦ୍ୟମ କରିଥିଲେ। ତାଙ୍କରି ପ୍ରୟାସରେ ସାରା ଓଡ଼ିଶାରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ କନ୍ୟାଶ୍ରମ (ଏସ୍‌ଏସ୍‌ଡି ସରକାରୀ ବାଳିକା ବିଦ୍ୟାଳୟ) ସ୍ଥାପିତ ହୋଇପାରିଥିଲା। ଆଜି ମଧ୍ୟ କନ୍ୟାଶ୍ରମ ରହିଛି।

ବିଡ଼ମ୍ବନାର ବିଷୟ ହେଉଛି, ଯିଏ ଦିନେ ଆଦିବାସୀ ପିଲାମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରିଥିଲେ, ତାଙ୍କରି ଗାଁରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହେଁସଡ଼ା ପ୍ରାଥମିକ ବିଦ୍ୟାଳୟ ୧୯୬୦ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା। ଏବେ ସେଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।ବାଲ୍‌ବାଟିକାରେ ୧୦ ଜଣ କୋମଳମତି ଶିଶୁ ନୂତନ କରି ଶିକ୍ଷା ଗ୍ରହଣ କରୁଛନ୍ତି। ଉଦ୍‌ବେଗର ବିଷୟ ହେଉଛି, ଏଠାରେ ଗୋଟିଏ ଶ୍ରେଣୀଗୃହରେ ୬ଟି ଶ୍ରେଣୀର ୩୧ଜଣ ପଢ଼ୁଛନ୍ତି ଏବଂ ଏକକାଳୀନ ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଅଧିକ ସମୟ ବର୍ଷା ହେଲେ ଶ୍ରେଣୀଗୃହ କାନ୍ଥରୁ ପାଣି ଝରୁଛି। ଏହି କାରଣରୁ ସ୍କୁଲ ଛୁଟି କରିବାକୁ ବାଧ୍ୟ ହେଉଛୁ ବୋଲି ପ୍ରଧାନଶିକ୍ଷକ ସତ୍ୟବାନ ମଣ୍ଡଳ ପ୍ରକାଶ କରିଛନ୍ତି। ଗ୍ରାମବାସୀ କହିଛନ୍ତି ଯେ ୨୦୨୩ ଡିସେମ୍ବର ୧୧ରେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇଦେବାରୁ ବିଇଓ ପହଞ୍ଚି ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୨ ବର୍ଷ ବିତିବାକୁ ବସିଲାଣି, ହେଲେ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନାହିଁ। ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଏ ସଂପର୍କରେ ଜାମଦା ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡାଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ବିଦ୍ୟାଳୟ ସମେତ ଅନ୍ୟ କିଛି ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ନିମନ୍ତେ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି।

Share This Article