ସାଉଦି ଆରବରେ ତ୍ରି-ଦିବସୀୟ “ପ୍ରବାସୀ ପରିଚୟ” ସମାରୋହ

Odisha Hot News
2 Min Read

ଭୁବନେଶ୍ଵର: ସାଉଦି ଆରବ, ରିୟାଦ୍ ସ୍ଥିତ ଭାରତୀୟ ଦୂତାବାସରେ ତ୍ରି-ଦିବସୀୟ “ପ୍ରବାସୀ ପରିଚୟ” କାର୍ଯ୍ୟକ୍ରମ ମହାଆଡମ୍ବରରେ ପାଳିତ ହୋଇଯାଇଛି। ସମୁଦାୟ ୧୨ ଟି ରଜ୍ୟର ଅଂଶଗ୍ରହଣକାରୀ ତିନି ଦିନ ବ୍ୟାପି ଉକ୍ତ କାର୍ଯ୍ୟକ୍ରମରେ ନିଜ ନିଜ ରାଜ୍ୟର କଳା, ସଂସ୍କୃତି ଓ ଖାଦ୍ୟ ପାନୀୟର ପ୍ରଦର୍ଶନ କରିଥିଲେ। ନଭେମ୍ବର ୪ ତାରିଖରେ ପ୍ରବାସୀ ଓଡ଼ିଆଙ୍କ ପରିବେଷିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ମନୋରମ ଓଡ଼ିଶା ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।

ପ୍ରଥମ ଥର ପାଇଁ ସାଉଦି ଆରବରେ ଆୟୋଜିତ ହୋଇଥିବା ଏଭଳି ସମାରୋହକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଆରବରେ ଅବସ୍ଥାପିତ ଭାରତୀୟ ରାଜଦୂତ ଡଃ ସୁହେଲ୍ ଅଜାଜ୍ ଖାନ୍ ଉକ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ତଥା ଭାରତ ଆରବ ସମ୍ପର୍କ ସମ୍ବନ୍ଧରେ ସମ୍ୟକ୍ ସୂଚନା ଦେଇଥିଲେ। ପ୍ରବାସୀ ଓଡ଼ିଆଙ୍କ ତରଫରୁ ସରୋଜ କୁମାର ପାଣିଗ୍ରାହୀ ଓ ଦେବାଶିଷ ରାଉତ, ଡଃ ଖାନ୍ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ, ଓଡ଼ିଶା ବିଭାଗର ସର୍ବାଙ୍ଗୀନ ନେତୃତ୍ୱ ନେଇଥିଲେ। ଦୂତାବାସ ଅଡିଟୋରିଅମ୍ ରେ ଏକ ସୁଦୃଶ୍ୟ ଭିଡିଓ ମାଧ୍ୟମରେ ଓଡ଼ିଶାର ପ୍ରାଚୀନ ଓ ସାଂପ୍ରତିକ ଗୌରବମୟ ଘଟଣାବଳୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଆଲୋକପାତ କରାଯାଇଥିଲା।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶୀ, ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷିତ ହୋଇଥିଲା। ନୃତ୍ୟ ନିର୍ଦ୍ଦେଶିକା ଡଃ ଚନ୍ଦନା ପଟ୍ଟନାୟକ ଓ ଦୀପିକା ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଭାଗି ନିଜ ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ଭାବନା ଜୈନ୍ ଓ ବିବେକ ସିଲ୍ଲା। ଓଡ଼ିଶା ସହ ଉକ୍ତ ଦିନ ଗୁଜୁରାଟ ଓ ଆନ୍ଧ୍ରପ୍ରଦେଶର କଳାକାରମାନେ ମଧ୍ୟ ନିଜ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ପ୍ରାୟ ୪୦୦ ଅତିଥି ଉକ୍ତ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରିଥିଲେ।

ଓଡ଼ିଶା ପାଭିଲିଓନ୍ ର ଦାୟିତ୍ଵ ତୁଲାଇଥିଲେ ଶିବାଶିଷ ନାୟକ ଓ ଜ୍ୟୋତିର୍ମୟ ସାହୁ। ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଓ ବ୍ରହ୍ମପୁରୀ ଶାଢ଼ୀ ଏବଂ ହସ୍ତତନ୍ତ ସାମଗ୍ରୀ, କାର୍ତ୍ତିକ ପୂର୍ଣ୍ଣିମା ବୋଇତ ଓ ପୁରୀ ରଥଯାତ୍ରା ପ୍ରତିକୃତି, କଟକ ରୂପା ତାରକସି ଅଳଙ୍କାର ସାଙ୍ଗକୁ ଓଡ଼ିଶୀ ନୃତ୍ୟ ଆଭୂଷଣ ଆଦି ଦର୍ଶନ କରି, ଭାରତୀୟ ରାଜଦୂତ ଡଃ ଖାନ୍ ଅନେକ ପ୍ରଶଂସା କରିଥିଲେ। ପରିଶେଷରେ ସମସ୍ତ ଅତିଥିଙ୍କୁ ବିଶ୍ଵ ପ୍ରସିଦ୍ଧ ଓଡ଼ିଶା ରସଗୋଲାରେ ଆପ୍ୟାୟିତ କରାଯାଇଥିଲା।

Share This Article