ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ଦିଆଯିବ ପ୍ରଶିକ୍ଷଣ

Odisha Hot News
3 Min Read

ଭୁବନେଶ୍ୱର : ବଜ୍ରପାତର ସର୍ତକତା ସଂକ୍ରାନ୍ତରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସଡମା)ର ୩୬ତମ ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ବ୍ଲକ, ପଞ୍ଚାୟତ ଓ ଗ୍ରାମ୍ୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଯୋଜନା କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟୟରେ ବିଜୁଳି ଓ ବଜ୍ରପାତରେ ଅଧିକ ମୃତାହତ ଘଟୁଥିବା ମୟୂରଭଞ୍ଜ, ଗଂଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗିର, କୋରାପୁଟ ଆଦି ୧୦ଟି ଜିଲ୍ଲାରେ ସତର୍କତା ସଂପର୍କରେ ଜନସାଧାରଣଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ସମସ୍ତ ବିଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା( ଲାଇଟନିଂ ଆରେଷ୍ଟର) ରହିବା ଓ ଏହାର କାର୍ଯ୍ୟକାରିତା ତଦାରଖ ସଂପର୍କରେ ଆଲୋଚନା କରାଯାଇଛି । ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବଶ୍ୟକ ସଚେତନ କରିବେ । ଏଥି ପାଇଁ ଫାୟାର ଆଲାରାମ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିଭଳି ଭୂକମ୍ପ, ପାଣିରେ ବୁଡିଯିବା, ସାପ କାମୁଡା ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଘଟଣାକୁ କିପରି ତୁରନ୍ତ ଓ ତ୍ୱରିତ ମୁକାବିଲା କରାଯାଇ ପାରିବ, ସେ ଦିଗରେ ମଧ୍ୟ ସଚେତନ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ମରାମତି ଆବଶ୍ୟକ ଥିବା ବନ୍ୟା–ବାତ୍ୟା ଆଶ୍ରୟସ୍ଥଳୀଗୁଡିକର ରକ୍ଷଣାବେକ୍ଷଣ ଉପରେ ଆଲୋଚନା କରାଯାଇଥିଲା ।

ସମସ୍ତ ଆଶ୍ରୟସ୍ଥଳୀଗୁଡିକରେ ବଜ୍ରପାତ ନିରୋଧକ ବ୍ୟବସ୍ଥା କାର୍ଯ୍ୟକ୍ଷମ ରଖିବା, କାର୍ଯ୍ୟକ୍ଷମ ନଥିବା କରତ ଓ ଟାୱାର ଆଲୋକସବୁକୁ ଅପସାରଣ କରାଯାଇ ଓ ନୂଆ ସଂସ୍ଥାପନ କରାଯିବା, ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ ମୋବାଇଲ ଯୋଗେ ବାର୍ତ୍ତା ପ୍ରେରଣ ଆଦି ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସବୁ ସରକାରୀ କର୍ମଚାରୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ, ବିପର୍ଯ୍ୟୟ ସଂପର୍କରେ ପୂର୍ବାନୁମାନ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ପ୍ରତି ଶିଳ୍ପାନୁଷ୍ଠାନମାନଙ୍କରେ ସିଭିଲ ଡିଫେନ୍‌ସ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ । ବୈଠକରେ ଓସଡମାର ପୁନର୍ଗଠନ ଏବଂ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନ ଗଠନ ସଂପର୍କରେ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଅଗ୍ନିଶମ ଓ ଆପାତକାଳୀନ ସେବା ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ୱଥୀ ଏସ୍‌, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଚିତ୍ରା ଆରୁମୁଗମ, ପୂର୍ବତନ ପ୍ରଶାସନିକ ଅଧିକାରୀ ଡଃ. ଅରବିନ୍ଦ ବେହେରା, ବରିଷ୍ଠ ସମାଜସେବୀ ଜଗଦାନନ୍ଦ, ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Share This Article