ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଯେଉଁମାନଙ୍କର ନାମ ଭୋଟର ତାଲିକାରୁ କଟିଥିଲା ସେମାନେ କରିଥିବା ଆବେଦନକୁ ବିଚାର କରି, ନୂଆ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପରେ ନଭେମ୍ବର ୮ ସୁଦ୍ଧା ରାଜ୍ୟରେ ମୋଟ ୩,୧୯,୧୨,୬୨୩ଜଣ ଭୋଟର ଥିବା କୁହାଯାଇଛି। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୬୨,୫୧,୪୪୩ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧,୫୬,୫୮,୪୦୫। ତୃତୀୟ ଲିଙ୍ଗର ଭୋଟରଙ୍କ ସଂଖ୍ୟା ୨୭୭୫। ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ୩,୮୬,୧୮୫ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪,୫୨,୦୭୩ ଥିବା ଜଣାପଡ଼ିଛି।
ଜାନୁଆରି ୨୧ରେ ପ୍ରକାଶ ପାଇବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକା ଯେପରି ତ୍ରୁଟିଶୂନ୍ୟ ହେବ ସେନେଇ ଆଜି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ୨୦୨୭ ମସିହା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଏହାର କାର୍ଯ୍ୟପନ୍ଥା, ନିର୍ଦ୍ଧାରିତ ସମୟସୀମା ଏବଂ ସଂଶୋଧନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ବୈଠକରୁ ଜଣାପଡ଼ିଛି ଯେ ଏହି ସଂଶୋଧନ କାର୍ଯ୍ୟକ୍ରମରେ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ଓ ପୁନର୍ବିନ୍ୟାସ କାର୍ଯ୍ୟ ନଭେମ୍ବର ୨୦ ସୁଦ୍ଧା ଶେଷ ହେବ। ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଲେ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନାମ ଯୋଡ଼ିବା, ବାଦ୍ ଦେବା ଓ ସଂଶୋଧନ ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଫଇସଲା ୨୦୨୭ ଜାନୁଆରି ୧୬ ସୁଦ୍ଧା ଶେଷ କରାଯିବ।

Comment