ବାଇକ ଚଳାଇ ସଚେତନ କଲେ ଟ୍ରାଫିକ ଡିସିପ

Odisha Hot News
2 Min Read

ଭୁବନେଶ୍ୱର : ଆରମ୍ଭ ହୋଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ ରୁହନ୍ତୁ’। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅଭିନେତାମାନେ ସାମିଲ ଥିଲେ। ଏହି ଅବସରରେ ସଚେତନତା ରାଲି କରାଯାଇଥିଲା। ଟ୍ରାଫିକ ଡିସିପି ନାଥ ବାଇକ୍‌ ଚଳାଇ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଟ୍ରାଫିକ କର୍ମଚାରୀ, ସ୍ବେଚ୍ଛାସେବୀ ସାମିଲ ହୋଇ ହେଲ୍‌ମେଟ ପିନ୍ଧି ବାଇକ ଚଳାଇ ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ଏଭଳି ସଚେତନତା ରାଲି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଡିସିପି ନାଥ କହିଛନ୍ତି, ଯେଉଁମାନେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ସେମାନେ ସଚେତନ ହେବା ସହ ଅନ୍ୟଯାତ୍ରୀଙ୍କୁ ସୁରକ୍ଷିତ ରଖନ୍ତୁ। ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତି ଛକକୁ ଯାଇ ଲୋକଙ୍କୁ ସଚେତନ କରିବୁ। ବିଶେଷକରି ଛୋଟ ପିଲାଙ୍କୁ ବାଇକରେ ନେଉଥିଲେ ସେମାନଙ୍କୁ ହେଲ୍‌ମେଟ ପିନ୍ଧାଇବାକୁ ମା’ବାପାଙ୍କୁ ସଚେତନ କରାଯିବ। ଟ୍ରାଫିକ ପୋଲିସ ପକ୍ଷରୁ ମିନି ହେଲ୍‌ମେଟ୍‌ ବଣ୍ଟାଯିବ। ଏହାସହ ଛୋଟପିଲାଙ୍କୁ ନେଇ ଏକ ଚିତ୍ରାଙ୍କନ ଓ ଗୀତ ମାଧ୍ୟମରେ ସଚେତନ କରାଯିବ। ଟ୍ରାଫିକ ନିୟମ ଯାଞ୍ଚ ପାଇଁ ୬ଟି ବାଇକ୍‌ ଆସିବ। ଏହି ବାଇକ ସହରର ବିଭିନ୍ନ ସ୍ଥାନରେ ବୁଲିବ। ବିଶେଷକରି ଯୁବକମାନେ ହେଲ୍‌ମେଟ ପିନ୍ଧି ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବାକୁ ରାଲି ସମୟରେ ସେ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମବେଳେ ଜୟ ଓଡିଶା ପକ୍ଷରୁ କମିଶନରେଟ ପୋଲିସ୍‌କୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କରାଯାଇଛି। ପ୍ରତି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ରଖାଯିବ। ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଏହାର ଚାବି କେବଳ ଟ୍ରାଫିକ ପୋଲିସ ନିକଟରେ ରହିବ। ପ୍ରତି ସପ୍ତାହରେ ଏହି ସଂସ୍ଥା ଉକ୍ତ ବକ୍ସଗୁଡ଼ିକରେ ଆବଶ୍ୟକ ଔଷଧ ଓ ଅନ୍ୟ ସରଞ୍ଜାମ ମହଜୁଦ ରଖିବ।

Share This Article
Leave a Comment