ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

Odisha Hot News
1 Min Read

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ ପ୍ରଦାନ କରିଛନ୍ତି। ଏହି ସମସ୍ତ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ ଯେ, ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫,୦୦୦ରୁ ଅଧିକ ଲାପ୍‌ଟପ୍‌ ବଣ୍ଟନ କରାଯିବ। ତନ୍ମଧ୍ୟରୁ ୫୫୦୯ ଅନୁସୂଚିତ ଜାତି(ଏସ୍‌ସି) ଓ ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗର ହୋଇଥିବା ବେଳେ ୯୪୯୧ ଜଣ ସାଧାରଣ ବର୍ଗର ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିଜୁ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ର ମେଧାବୀ ଛାତ୍ରୀଛାତ୍ରଙ୍କୁ ୨୦୧୩ ମସିହାଠାରୁ ମାଗଣାରେ ଲାପ୍‌ଟପ୍‌ ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୯୦,୨୦୩ ଛାତ୍ରୀଛାତ୍ରଙ୍କୁ ଏହା ବଣ୍ଟନ କରାଯାଇଛି। ଚଳିତ ବର୍ଷ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା ତାଲିକା ପରିବର୍ତ୍ତେ ଜିଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ୩୦ ଜିଲାର ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଛି। ଚଳିତ ବର୍ଷ ଓକାକ୍‌ ମାଧ୍ୟମରେ ଲାପ୍‌ଟପ୍‌ ସଂଗ୍ରହ କରାଯାଇ ୩୦ ନୋଡାଲ ସେଣ୍ଟରକୁ ବଣ୍ଟନ ପାଇଁ ପଠାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ଉପଦେଷ୍ଟା ଆର୍‌. ବାଲ୍‌କ୍ରିଷ୍ଣନ ଏବଂ ଉଚ୍ଚଶିକ୍ଷା ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

Share This Article
Leave a Comment