ନୂଆଦିଲ୍ଲୀରେ ‘ଓଡିଶା ପର୍ବ -୨୦୨୪’ରେ ଓଡିଆ ପୁସ୍ତକର ଥିଲା ଚାହିଦା

Odisha Hot News
2 Min Read

ନୂଆଦିଲ୍ଲୀ: ଓଡ଼ିଆ ସମାଜ, ଦିଲ୍ଲୀ ଆନୁକୂଲ୍ୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ନଭେମ୍ବର ୨୨ରୁ ୨୪ ଆୟୋଜିତ ହୋଇଥିଲା “ଓଡ଼ିଶାପର୍ବ – ୨୦୨୪। ଏହା କେବଳ ଏକ ସାଧାରଣ ଉତ୍ସବ ବା ଭେଟଘାଟ ନ ଥିଲା, ଏହା ଥିଲା ଭାରତର ରାଜଧାନୀରେ ଓଡ଼ିଆମାନଙ୍କ ଉପସ୍ଥିତି ଜାହିରର ଏକ ଅନନ୍ୟ ଉଦାହରଣ।

ଚଳିତବର୍ଷ ତିନିଦିନ ବ୍ୟାପି ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପୁସ୍ତକଗୁଡିକ ଦ୍ୱାରା ଷ୍ଟଲ୍ ପ୍ରଦର୍ଶନୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିକଳ୍ପନା ଓ ପ୍ରୋତ୍ସାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପୁସ୍ତକ ଓ ଓଡିଆ ଅନୁବାଦିତ ବହିକୁ ଅଭୁତପୂର୍ବ ପାଠକୀୟ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ସହଯୋଗରେ ଏହି ପର୍ବ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ପାଳନ କରିବାର ଅବସର ଦେଇଥିଲା ବୋଲି ଓଡିଆ ସମାଜ ପକ୍ଷରୁ କୁହାଯାଇଛି।

ଓଡ଼ିଶାର ପ୍ରକାଶନ ସଂସ୍ଥା ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, ଫ୍ରେଣ୍ଡସ୍ ପବ୍ଲିସର୍ସ, ଜଗନ୍ନାଥ ରଥ, ବିଦ୍ୟାପୁରୀ ପ୍ରକାଶନ ଓ ଏନ୍‌.ବି.ଟି., କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଆଦି ପୁସ୍ତକ ପ୍ରଦର୍ଶନ ହୋଇଥିଲା। ସାହିତ୍ୟ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ଇତିହାସ, ସମାଲୋଚନା, ଧର୍ମ, ଗ୍ରନ୍ଥାବଳୀ, ବିଜ୍ଞାନ, ଶିଶୁ ପ୍ରବନ୍ଧ ସହ ଜଡିତ ଆଦି ପୁସ୍ତକ ପ୍ରଦର୍ଶନୀରେ ପୁସ୍ତକପ୍ରେମୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ତିଆରି କରିଥିଲା। ଏହି ପ୍ରଦର୍ଶନୀକୁ ଦେଖିବା ସହ ବହି କିଣିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା।

ଓଡିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ନେଇ ଆୟୋଜିତ ପ୍ରଦର୍ଶନୀକୁ ନେଇ ପ୍ରବାସୀ ଓଡିଆ ଏବଂ ଅଣଓଡିଆଙ୍କ ମଧ୍ୟରେ ବିଶେଷ ସକରାତ୍ମକ ପରିବର୍ତନ ଦେଖିବାକୁ ମିଳିଥିଲା। ଓଡିଆ ଅସ୍ମିତାକୁ ସୃଷ୍ଟି କରିବାକୁ ହେଲେ ଓଡିଆ ସାହିତ୍ୟର ବିକାଶ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ମୂଳରୁ ସାହିତ୍ୟ ପ୍ରତି ଅନୁରାଗୀ ହୋଇପାରିବେ। ଆଗାମୀ ଦିନରେ ଦିଲ୍ଲୀରେ ଓଡିଆ ପୁସ୍ତକ ପ୍ରଦର୍ଶନୀକୁ ବ୍ୟାପକ କରାଯିବାର ଯୋଜନା ରହିଛି ବୋଲି ଓଡିଆ ସମାଜ ପକ୍ଷରୁ କୁହାଯାଇଛି।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଶ୍ରୀ ଭର୍ତୃହରି ମହତାବ ଓଡ଼ିଶାର ସମୃଦ୍ଧ ସଂସ୍କୃତି, କଳା ଓ ସାହିତ୍ୟର ପ୍ରଶଂସା କରିବା ସହ ଓଡିଶା ପର୍ବ ସମାରୋହରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ପଦ୍ମଭୂଷଣ ଡ. ପ୍ରତିଭା ରାୟ, ପଦ୍ମଶ୍ରୀ ଡ. ଦମୟନ୍ତୀ ବେଶ୍ରା, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ଚନ୍ଦ୍ରଶେଖର ହୋତା, ପାରମିତା ଶତପଥୀ, ଓଡିଶା ସାହିତ୍ୟ ଏକେଡେମୀ ଡ. ଅରବିନ୍ଦ ରାୟ, ଡକ୍ଟର କୃଷ୍ଣଚନ୍ଦ୍ର ବଳ, ଶ୍ରୀ ଦୀପକ ପଣ୍ଡା, ଡ. ରାଜାରାମ ଶତପଥୀ, ଡକ୍ଟର ବିଶ୍ୱରଂଜନ ପୂଜାରୀ, ଡ. ରୁଦ୍ରାଣୀ ମହାନ୍ତି, ଶ୍ରୀ ରାମଜିତ ଟୁଡୁ, ଡ. ରାଜେନ୍ଦ୍ର ପାଢ଼ୀ, ଡ. ଚଣ୍ଡୀ ପ୍ରସାଦ ନନ୍ଦ, ଡ. ବିଭୁଦତ ପ୍ରମୋଦ କୁମାର ମିଶ୍ର, ଡ. ବ୍ୟୋମକେଶ ତ୍ରିପାଠୀ, ପ୍ରମୁଖ ଲେଖକ, ସାମ୍ବାଦିକ ଏବଂ ବ୍ୟକ୍ତିବିଶେଷମାନେ ଯୋଗଦେଇ ଦିଲ୍ଲୀରେ ଓଡିଆ ପୁସ୍ତକ ପ୍ରଦର୍ଶନୀ ବୁଲି ଦେଖିଥିଲେ ।

Share This Article