କିମ୍‍ସ ବିଶେଷଜ୍ଞ – Fast News Network

Odisha Hot News
2 Min Read

ଭୁବନେଶ୍ୱର: ମହାମାରୀ ପରବର୍ତ୍ତୀ ସ୍ଥିତିରେ ଚିନ୍ତା ଏବଂ ମାନସିକ ବିକୃତି, ଚାପ ସମ୍ବନ୍ଧୀୟ ବ୍ୟାଧି, ଆତ୍ମହତ୍ୟା ପ୍ରବୃତ୍ତି ଏବଂ ନିଶା ଜନିତ ରୋଗ, ଶୋଇବାରେ ବ୍ୟାଘାତ ଜନିତ ସମସ୍ୟା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ, ଯୁଦ୍ଧ ଏବଂ ବଢୁଥିବା ହିଂସା, ବିଶ୍ୱର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ସ୍ଥାନାନ୍ତରଣ ଏବଂ ଉପୁଜୁଥିବା ଜନସ୍ୱାସ୍ଥ୍ୟ ଆପାତକାଳୀନ ପରିସ୍ଥିତି କାରଣରୁ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରଗତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ଅକ୍ଟୋବର ୧୦ ତାରିଖରେ ବିଶ୍ୱ ମାସନିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ କିମ୍‍ସ ଭୁବନେଶ୍ୱରର ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ରାମ ଚନ୍ଦ୍ର ଦାସ ଏହି ସୂଚନା କହିଛନ୍ତି । ଚଳିତବର୍ଷ ଏହି ଦିବସକୁ ପାଳନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ରଖା ଯାଇଥିବା ବିଷୟ ବସ୍ତୁ ହେଲା ‘ମେକ୍ ମେଣ୍ଟାଲ ହେଲ୍‌ଥ ଆଣ୍ଡ ୱେଲ ବିଙ୍ଗ୍ ଏ ଗ୍ଲୋବାଲ ପ୍ରାୟୋରିଟି’, ଅର୍ଥାତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ବିଶ୍ୱସ୍ତରରେ ପ୍ରାଥମିକତା ଦେବା । କରୋନା ମହାମାରୀ ଯୋଗୁଁ କିଛି ଲୋକ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଛନ୍ତି । ଏଥି ସକାଶେ ଜନସାଧାରଣ ଏବଂ ଦେଶପାଇଁ ମାନସିକ ସ୍ୱାସ୍ଥ୍ୟ ଅସମାନତାର ନୈତିକ ପ୍ରଭାବକୁ ସମାଧାନ କରିବା ଲାଗି ଏକ ନିଷ୍ପକ୍ଷ ଜନସ୍ୱାସ୍ଥ୍ୟ ନୀତି ଅଣାଯିବା ଉଚିତ । ଆମକୁ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାରେ ଉନ୍ନତି ଆଣିବାକୁ ପଡ଼ିବ । ମାନସିକ ରୋଗଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା କୁସଂସ୍କାର ଏବଂ ଭୁଲ ଧାରଣା ଯୋଗୁଁ ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ । ଭେଦଭାବ କାରଣରୁ ମାନସିକ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଡା. ଦାସ କହିଛନ୍ତି । ଏଥି ପ୍ରତି ଧ୍ୟାନ ଦିଆଯିବା ଉଚିତ । ସେହିପରି କିମ୍‍ସ-ଭୁବନେଶ୍ୱର ମାନସିକ ରୋଗ ବିଭାଗ ସହକାରୀ ପ୍ରଫେସର ଡା. ଉଦିତ ପଣ୍ଡା କହିଛନ୍ତି, ଆମ ରାଜ୍ୟରେ ମାନସିକ ସୁସ୍ଥତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ବହୁତ କିଛି କରିପାରିବା । ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ପ୍ରଗତିଶୀଳ ନୀତି ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସିବା ଉଚିତ୍ ବୋଲି ଡା. ପଣ୍ଡା କହିଛନ୍ତି।

Share This Article