ନୂଆଦିଲ୍ଲ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ଭାରତୀୟ ଜିଡିପିର ପ୍ରାୟ ୧୦%। ଏହା ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ। ବୁଧବାରଠାରୁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହାର ସୂଚନା ଦିଆଯିବ। ଅର୍ଥମନ୍ତ୍ରୀ ଏହି ପ୍ୟାକେଜ ବିଷୟରେ ବିସ୍ତାରରେ ସୂଚନା ଦେବେ। ଏହା ଚାଷୀ, ଉଦ୍ୟୋଗୀ ତଥା ସମସ୍ତଙ୍କୁ ସଶକ୍ତ କରିବ। ସମସ୍ତଙ୍କୁ ଦୃଷ୍ଟିରେ ରଖଇ ଏହି ପ୍ୟାକେଜ୍ କରାଯାଇଛି। ପ୍ରତି ଭାରତୀୟ ଲୋକାଲ ପ୍ରଡକ୍ଟ କିଣିବା ଆରମ୍ଭ କରନ୍ତୁ। ଏହାକୁ କେବଳ କିଣିବେ ନାହିଁ, ଉକ୍ତ ସାମଗ୍ରୀର ପ୍ରଚାର ମଧ୍ୟ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ କରିବାର ଲକ୍ଷ୍ୟପୂରଣ କରିବାକୁ ଆମ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ। ଜାଗତିକ ପରିଦୃଶ୍ୟରେ ଆତ୍ମନିର୍ଭରଶୀଳତାର ସଂଜ୍ଞା ବଦଳିଯାଇଛି। ବର୍ତ୍ତମାନ ଦେଶ ଯେତେବେଳେ ଆତ୍ମନିର୍ଭରଶୀଳତାର କଥା କହୁଛି ଏହାର ଅର୍ଥ ଆତ୍ମକୈନ୍ଦ୍ରିକ ହେବା ଆଦୌ ନୁହେଁ । ସେ କହିଥିଲେ ଯେ ଭାରତୀୟ ସଂସ୍କୃତିରେ ବିଶ୍ବକୁ ଗୋଟିଏ ପରିବାର ଭାବେ ଦେଖିବା ଲାଗି ଉପଦେଶ ଦିଆଯାଇଛି । ଭାରତର ପ୍ରଗତି ସମଗ୍ର ବିଶ୍ବର ପ୍ରଗତିରେ ଯୋଗଦାନ ଦେଇପାରିବ ଏବଂ ଏହାର ଅଂଶବିଶେଷ ହୋଇପାରିବ। ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ ଯୋଗଦାନ ଦେବା ଲାଗି ଭାରତ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
Comment