ସଫଳ ମତ୍ସ୍ୟ ଉଦ୍ୟୋଗୀ ଜ୍ଞାନସ୍ୱରୂପ ସାହୁଙ୍କୁ ରାଷ୍ଟ୍ରପତି ଭବନରୁ ମିଳିଲା ନିମନ୍ତ୍ରଣ

Odisha Hot News
1 Min Read

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହ ପରେ ରାଷ୍ଟ୍ରପତି ଭବନରେ ଯୋଗ ଦେବାକୁ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସଫଳ ମତ୍ସ୍ୟ ଉଦ୍ୟୋଗୀ ଜ୍ଞାନ ସ୍ୱରୂପ ସାହୁଙ୍କୁ ନିମନ୍ତ୍ରଣ ମିଳିଛି। ଶ୍ରୀ ସାହୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାର ଜଣେ ସଫଳ ହିତାଧିକାରୀ ଏବଂ ସେ ମାଛ ଜାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରି ସ୍ୱାବଲମ୍ବୀ ହୋଇପାରିଛନ୍ତି। ଗୋପ ବ୍ଲକ୍‌ ଜ୍ଞାନେଶ୍ୱରପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରେ ତାଙ୍କ ଘର। ସେ ୨୫ ଲକ୍ଷ ଟଙ୍କା ବ୍ୟୟରେ ମଧୁର ଜଳ ମାଛ ଯାଆଁଳ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ତାଙ୍କର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ ମଞ୍ଜୁରି ସହିତ ୧୦ ଲକ୍ଷ ଟଙ୍କାର ସବସିଡି ମିଳିଥିଲା।

ଶ୍ରୀ ସାହୁ ଚଳିତ ବର୍ଷ ତାଙ୍କର ଯାଆଁଳ କେନ୍ଦ୍ରରେ ୨ କୋଟି ୬୪ ଲକ୍ଷରୁ ଅଧିକ ମାଛ ଯାଆଁଳ ଉତ୍ପାଦନର ରେକର୍ଡ ହାସଲ କରିଛନ୍ତି। ସେ ୩ହଜାର କ୍ଷମତାବିଶିଷ୍ଟ କୁକୁଡ଼ା ପାଳନ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ୧୦ ହେକ୍ଟର ପୋଖରୀରେ ୧୦୦ କୁଇଣ୍ଟାଲ ଛୋଟ ମାଛ ଉତ୍ପାଦନ ସହିତ ବାୟୋଫ୍ଲକ୍‌ ପଦ୍ଧତିରେ ୨ ଟନ୍‌ ସିଂଘି ମାଛ ଉତ୍ପାଦନ କରି ବେଶ୍‌ ସଫଳତା ପାଇପାରିଛନ୍ତି। ଜଣେ ସଫଳ ଉଦ୍ୟୋଗୀ ଭାବେ ତାଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ଉପକଣ୍ଠ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ କେନ୍ଦ୍ର – ସିଫା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

ଶ୍ରୀ ସାହୁ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ୧୫ ଜଣଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି। ସାରା ଦେଶରୁ ମୋଟ୍‌ ୬ଜଣ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ହିତାଧିକାରୀଙ୍କୁ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଜ୍ଞାନସ୍ୱରୂପଙ୍କୁ ସ୍ଥାନ ମିଳିଛି।

Share This Article