୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

Odisha Hot News
2 Min Read

ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା କୃଷି ଭବନଠାରେ ଆୟୋଜିତ ହୋଇଯାଇଅଛି। କର୍ମଶାଳାର ପ୍ରାରମ୍ଭରେ ଉଦବୋଧନ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଶ୍ରୀଯୁକ୍ତ ରଘୁରାମ ଆର ଆୟାର ସମସ୍ତ ଅତିଥି, କର୍ମଶାଳାରେ ଅଂଶ ଗ୍ରହଣ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କୁ କର୍ମଶାଳାକୁ ସ୍ୱାଗତ କରିବା ସହିତ ଏହାର ମୂଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ।

ଆଜିର ଏହି କର୍ମଶାଳାରେ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷା ସେମାନଙ୍କର ନୂତନ ଭୂମିକା ବିଷୟରେ ଅବଗତ ହେବା ସହ ବିଦ୍ୟାଳୟର ସୁପରିଚାଳନା ନିମିତ୍ତ ବିଭିନ୍ନ ବିଷୟରେ ଯଥା- ପରୀକ୍ଷା ପରିଚାଳନା ପଦ୍ଧତି, ଇ- ଆଡମିଶନ ପ୍ରକ୍ରିୟା , ଆର୍ଥିକ ପରିଚାଳନା, ଶୈକ୍ଷିକ ସମୀକ୍ଷା ,ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, UDISE ଅପଡେଟ୍, APPAR ID ପ୍ରସ୍ତୁତ ଏବଂ SMDC ଗଠନ ଓ ଶୈକ୍ଷିକ ସହାୟତା କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସୂଚନା ପାଇଥିଲେ।

ଏହି କର୍ମଶାଳାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଶୁଭଶ୍ରୀ ନନ୍ଦ କହିଛନ୍ତି, ଏହି କର୍ମଶାଳା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଉତ୍ତମ ପରିଚାଳନା ଦିଗଦର୍ଶନ ଦେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବିଶ୍ଵଜୀତ ଘୋଷ କର୍ମଶାଳା ସେମାନଙ୍କର ପ୍ରଶାସନିକ ଦକ୍ଷତା ବୃଦ୍ଧି କରିବା ସହିତ ପୂର୍ବ ଅପେକ୍ଷା ଅନୁଷ୍ଠାନ ଗୁଡିକୁ ଅଧିକ କ୍ରିୟାଶୀଳ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ପରୀକ୍ଷା ପରିଚାଳନା ନିମିତ୍ତ ସମସ୍ତ ପ୍ରକ୍ରିୟା ଓ ସୂଚନା ପ୍ରଦାନ କରିଥିଲେ। ଡ. ଉମାକାନ୍ତ ସେଠି (OIC, SAMS ) ଅନଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କର ନାମଲେଖା ପ୍ରକ୍ରିୟା ଓ SAMS ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଯୁଗ୍ମ ନିର୍ଦେଶିକା ଶ୍ରୀମତୀ ସସ୍ମିତା ମIଳି ଓ ଉପନିର୍ଦେଶିକା ସୁନନ୍ଦା ମେକାପ ଅତିଥି ଅଧ୍ୟାପକ ନିୟୋଜନ ପ୍ରକ୍ରିୟା, Split -Up -Syllabus ଓ ଏକାଡେମିକ କ୍ୟାଲେଣ୍ଡର ବିଷୟରେ ସୂଚନା ଦେଇଥିଲେ।

ଓସେପା ତରଫରୁ ରମେଶ ଚନ୍ଦ୍ର ନାୟକ ଓ ପ୍ରମୋଦ କୁମାର ନାୟକ ନିର୍ମାଣ କାର୍ଯ୍ୟ, ଅସବାବପତ୍ର କିଣା ଓ ଏଥି ନିମିତ୍ତ ବିଭିନ୍ନ ଅନୁଦାନ ଗୁଡିକର ଆର୍ଥିକ ପରିଚାଳନା ନିୟମାବଳୀ ବିଷୟରେ ଅଧ୍ୟକ୍ଷମାନଙ୍କୁ ଅବଗତ କରାଇଥିଲେ। ନିର୍ଦ୍ଦେଶାଳୟ ତରଫରୁ ଅନଲାଇନ୍ ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମ ବିଷୟରେ ଡ଼କ୍ଟର ପ୍ରମୋଦ କୁମାର ରାୟ ଓ ASP ଟିମ୍ ଅଧ୍ୟକ୍ଷମାନଙ୍କୁ ସୂଚନା ପ୍ରଦାନ କରିଥିଲେ।  ପରିଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସସ୍ମିତା ମାଳି ଧନ୍ୟବାଦ ଅର୍ପଣ କରିଥିଲେ।

Share This Article