ଓଡିଶାରେ ଧାନ ଦର ଅଧିକା ଦେଖି ପଡୋଶୀ ରାଜ୍ୟର ଦଲାଲ ସକ୍ରିୟ, ଧରାପଡିଲା ପାଞ୍ଚଶହ ବସ୍ତା

Odisha Hot News
1 Min Read

ଭୁବନେଶ୍ବର: ଓଡିଶାର ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କାରେ କିଣୁଛନ୍ତି। ଯାହା ଅନ୍ୟ ରାଜ୍ୟ ତୁଳନାରେ ବେଶ ଅଧିକ। ଏହାକୁ ନଜରରେ ରଖି ପଡୋଶୀ ରାଜ୍ୟର ଦଲାଲମାନେ ବର୍ତ୍ତମାନ ସକ୍ରିୟ ହୋଇ ଉଠିଛନ୍ତି। ସେମାନେ ଅନ୍ୟ ରାଜ୍ୟରୁ କମ ମୂଲ୍ୟରେ ଧାନ କିଣି ଓଡିଶାରେ ଚଢା ଦରରେ ବିକ୍ରି କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି।

ଗତକାଲି ଏକ ଟ୍ରକ ଧାନ ଗାଡି ଧରା ପଡିବା ପରେ ଏହି ଘଟଣା ପଦାକୁ ଆସିଛି। ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅନ୍ତର୍ଗତ ସାତୁପଲ୍ଲୀ ଗ୍ରାମର ଆଇପି ରାଇସ ମିଲରୁ ଏହି ଧାନ ଟ୍ରକ ଜବତ ହୋଇଛି। ଏହି ମିଲ ନିକଟରେ ପଶ୍ଚିମ ବଂଗ ନମ୍ବର ଥିବା ଏକ ଦଶ ଚକିଆ ଟ୍ରକ ଛିଡା ହୋଇଥିଲା। ସ୍ଥାନୀୟ ଲୋକେ ଏହି ଖବର ଯୋଗାଣ ବିଭାଗକୁ ଦେବା ପରେ ଅଧିକାରୀମାନେ ଗାଡି ତଦାରଖ କରିଥିଲେ।

ଏହି ସମୟରେ ଗାଡିରେ ପ୍ରାୟ ପାଞ୍ଚଶହ ବସ୍ତା ଧାନ ଥିବାର ଦେଖିବାକୁ ପାଇଥିଲେ। ତଦାରଖ ପୂର୍ବରୁ ଟ୍ରକ ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ। ତେବେ କିଛି ସମୟ ପରେ ଜଣେ ସ୍ଥାନୀୟ ଅଧିବାସୀ ଗାଡି କାଗଜ ପତ୍ର ଆଣି ତାହା ତାଙ୍କର ବୋଲି ଦାବୀ କରିଥିଲେ। ହେଲେ ସେହି ଧାନ କେଉଁଠୁ ଆସିଲା ତାହା କହିପାରି ନ ଥିଲେ। ତେବେ ଏ ନେଇ ଯୋଗାଣ ବିଭାଗ ଗାଡିକୁ ଜବତ କରି ତଦନ୍ତ କରୁଛି।

Share This Article