ସାଂସଦ ଡ. ସମ୍ବିତ ପାତ୍ରଙ୍କ ପ୍ରୟାସରେ ପୁରୀରେ ସାମାଜିକ ଅଧିକାରିତା ଶିବିର

Odisha Hot News
2 Min Read

ପୁରୀ: ପୁରୀ ସାଂସଦ ଡ. ସମ୍ବିତ ପାତ୍ରଙ୍କ ପ୍ରୟାସ ଫଳରେ ଆଜି ପୁରୀର ଭୋଳନାଥ ବିଦ୍ୟାପୀଠରେ ସାମାଜିକ ନ୍ୟାୟ ଏବଂ ଅଧିକାର ମନ୍ତ୍ରାଳୟ ପକ୍ଷରୁ ଏକ ବିଶେଷ ‘ସାମାଜିକ ଅଧିକାରିତା ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ କେନ୍ଦ୍ରମନ୍ତ୍ରୀ ବି.ଏଲ. ବର୍ମା ଏବଂ ଡ. ସମ୍ବିତ ପାତ୍ର ମିଳିତ ଭାବରେ ପୁରୀ ଲୋକସଭା କ୍ଷେତ୍ରର ବହୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କୁ ସହାୟକ ଉପକରଣ ବିତରଣ କରିଥିଲେ।

ଏହି ଅବସରରେ ଡ. ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ପାଇଁ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ କହିଥିଲେ, “ମୋଦୀ ସରକାର ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି ଯେ ପୁରୀ ଲୋକସଭା କ୍ଷେତ୍ରରେ ଏହିଭଳି ଏକ ବୃହତ ଶିବିର ଆୟୋଜନ କରାଯାଉ।”

ଏହି ଶିବିରରେ ମୋଟ ୨୧୪୨ ଜଣ ଲାଭାର୍ଥୀଙ୍କୁ ୨.୩୩ କୋଟି ଟଙ୍କା ମୂଲ୍ୟର ୫୧୭୧ଟି ସହାୟକ ଉପକରଣ ବିତରଣ କରାଯାଇଛି। ଏହି ଉପକରଣଗୁଡ଼ିକ ମଧ୍ୟରେ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ, ହ୍ୱିଲଚେୟାର, ବୈଶାଖୀ ଏବଂ ଅନ୍ୟାନ୍ୟ ସହାୟକ ଉପକରଣ ରହିଛି।

ଡ. ପାତ୍ର କହିଥିଲେ, “ମୁଁ ବ୍ୟକ୍ତିଗତ ଭାବେ ପୁରୀର ପ୍ରତିଟି ପଞ୍ଚାୟତରେ ପହଞ୍ଚି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କର ଆବଶ୍ୟକତା ବୁଝିଛି। ଆଜିର ଏହି ଶିବିର ସେମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିବ।”ସେ ଆହୁରି ମଧ୍ୟ କହିଥିଲେ ଯେ ପୁରୀରେ ଏକ ସ୍ଥାୟୀ ‘ପ୍ରଧାନମନ୍ତ୍ରୀ ଦିବ୍ୟାଶା କେନ୍ଦ୍ର’ ସ୍ଥାପନ ପାଇଁ ସେ ପ୍ରୟାସ ଜାରି ରଖିଛନ୍ତି, ଯାହା ଦ୍ୱାରା ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନେ ସହଜରେ ସରକାରୀ ଯୋଜନାର ଲାଭ ପାଇପାରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ବର୍ମା ଡ. ପାତ୍ରଙ୍କ ପ୍ରୟାସକୁ ପ୍ରଶଂସା କରି କହିଥିଲେ, “ସମ୍ବିତ ଭାଇ ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତି ସଦା ସଜାଗ। ତାଙ୍କ ଅନୁରୋଧକ୍ରମେ ଆମେ ଏହି ବୃହତ ଶିବିର ଆୟୋଜନ କରିପାରିଲୁ। ଆଗାମୀ ଦିନରେ ମଧ୍ୟ ଆମେ ପୁରୀ ଅଞ୍ଚଳରେ ଏଭଳି ଅଧିକ ଶିବିର କରିବାକୁ ପ୍ରସ୍ତୁତ ଅଛୁ।”

ଏହି ଅବସରରେ ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶେଷରେ ଡ. ପାତ୍ର କହିଥିଲେ, “ମୋଦୀ ସରକାରଙ୍କ ନେତୃତ୍ୱରେ ଆମେ ପୁରୀକୁ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକ ବାନ୍ଧବ ଜିଲ୍ଲା ଭାବରେ ବିକଶିତ କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଦିଗରେ ଆମର ପ୍ରୟାସ ଅବ୍ୟାହତ ରହିବ।”

Share This Article