ବିପଦରେ ଗଜରାଜ: ୧୧କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଈ ହାତୀ ମୃତ୍ୟୁ

Odisha Hot News
2 Min Read

ରେଢ଼ାଖୋଲ (କନ୍ଦର୍ପ ବେହେରା): ଦିନକୁ ଦିନ ନାକଟିଦେଉଳ ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ଚିନ୍ତାର କାରଣ ହୋଇଛି। ଗତକାଲି ରାତିରେ ନାକଟିଦେଉଳ ବନାଞ୍ଚଳ ଚରଡ଼ପଶି ନିକଟସ୍ଥ ବାବା ମଠ ନିକଟ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ବନବିଭାଗ ପ୍ରକାଶ କରିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଘୋଷରାମାଳ ସେକ୍ସନ, କାଉଁସିପାଳ ବିଟର ଚହଟାପଦା ଗ୍ରାମ ନିକଟ ବାବା ମଠ ଏନ୍ ଏଚ ରାସ୍ତାରୁ ମାତ୍ର ୨୦୦ ମିଟର ଦୂରରେ ଗୋଟିଏ ୨୦ ବର୍ଷର ମାଈହାତୀ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଶନିବାର ବିଳମ୍ବିତ ରାତି ୧୦ଟା ୩୦ ମିନିଟ ସମୟରେ ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲା। ସେଇ ସମୟରେ ବନ ବିଭାଗର କର୍ମଚାରୀ ମାନେ ହାତୀ ପଲକୁ ଘଉଡ଼ାଉଥିଲେ।

ସେଇ ସମୟରେ ହିଁ ହାତୀ ଟି ବିଦ୍ୟୁତ ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇଥିବା ଜଣା ପଡିଛି। ହାତିଟି ମରିବା ପରେ ଅନ୍ୟ ସାଥି ହାତୀ ମାନେ ମୃତକ ହାତୀକୁ ଜଗି ରହିବାରୁ ବନ ବିଭାଗ ମୃତ ହାତୀ ପାଖକୁ ପହଁଚି ପାରି ନ ଥିଲେ।

ବହୁ ବିଳମ୍ବରେ ବନବିଭାଗ ହାତୀ ପାଖକୁ ପହଂଚି ଥିଲା। ଖବର ପାଇ ରେଢ଼ାଖୋଲ ଡ଼ିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ୱିନୀ ବେହେରା ତଥା ବନ ବିଭାଗର ଅନ୍ୟ କର୍ମଚାରୀ ମାନେ ପହଁଚି ଥିଲେ।

ଆଜି ସକାଳୁ ବିଦ୍ୟୁତ ବିଭାଗ ର ଏସଡ଼ିଓ ତଥା କନିଷ୍ଠ ଯନ୍ତ୍ରୀ ପହଂଚି ହାତୀ ମୃତ୍ୟୁର କାରଣ ଖୋଜି ଥିଲେ। ହାତୀର ଶବ ବ୍ୟବଚ୍ଛେଦ ପରେ ପୋତି ଦେଇ ଥିବା ବନ ବିଭାଗ କହିଛି।

ସୂଚନା ଥାଉକି ୨୦୦୬ମସିହାରେ ସେଇସ୍ଥାନ ଠାରୁ କିଛି ଦୂରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନୋଟି ହାତୀର ଜୀବନ ଯାଇଥିଲା। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ବନବିଭାଗ ଓ ବିଦ୍ୟୁତ ବିଭାଗ ଘଟଣା ଟିକୁ ହାଲୁକା ନେଉଥିବା ଅନୁମାନ କରାଯାଉଛି।

ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିଲେ ସୁଦ୍ଧା ବନ ବିଭାଗ ନିଜ ଦୋଷ ଲୁଚାଉ ଥିବା ବେଳେ ସେ ପଟେ ବିଦ୍ୟୁତ ବିଭାଗର ଏସଡିଓ କେବୁଲ କାମ ଚାଲିଛି କହି ନିଜର ଦୋଷକୁ ଏଡାଇ ଦେଇଛନ୍ତି।

Share This Article