ପାଟଣାଗଡ଼: ଗଛରୁ ଉଦ୍ଧାର ହେଲା ଦୋକାନୀଙ୍କ ଝୁଲନ୍ତା ମୃତଦେହ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବରବାହାଲ ମଲ୍ଲିକମୁଣ୍ଡା ରାସ୍ତାକଡ଼ରେ ଥିବା ଏକ ଚାଖୁଣ୍ଡା ଗଛ ଉପରେ ଜଣେ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ପୁଲିସ ଏହି ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ଜଣକ ବରବାହାଲ ଗାଁର ୩୫ ବର୍ଷୀୟ କ୍ଷେତ୍ର କରୁଆଲ ବୋଲି ଜଣାପଡ଼ିଛି । ଏନେଇ ତାଙ୍କ ସାନ ଭାଇ ଭୀଷ୍ମ ତାଙ୍କ ବଡ଼ ଭାଇ କ୍ଷେତ୍ରଙ୍କୁ କିଛି ଦୁର୍ବୃତ୍ତ ତଣ୍ଟିଚିପି ଏକ ପ୍ଳାଟିକ୍ ରଶିରେ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି । ସାନ ଭାଇ ଭୀଷ୍ମଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି ।
କ୍ଷେତ୍ର ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୫ଟା ସମୟରେ ଏକ ପ୍ୟାକେଟ୍ ଚାଉଳକୁ ନିଜ ବାଇକରେ ଠକପଡ଼ାର ଜନୈକ ବ୍ୟବସାୟୀଙ୍କ ପାଖକୁ ବିକ୍ରି କରିବାକୁ ନେଇଥିଲେ । ଏଥିସହ ପୂର୍ବରୁ ଦେଇଥିବା କପା ବାବଦକୁ ଟଙ୍କା ମଧ୍ୟ ଆଣିବି ବୋଲି ଘରୁ କହି ଯାଇଥିଲେ । ଚାଉଳ ଦେଇ ଟଙ୍କାତକ ଧରି ସେ ଘରକୁ ଫେରିବା ବାଟରେ ଯୋଗୀମୁଣ୍ଡାର ଜନୈକ କିରାଣା ବ୍ୟବସାୟୀଙ୍କଠାରୁ ଦୋକାନରେ ଆବଶ୍ୟକ ଥିବା କିଛି ସାମଗ୍ରୀ କିଣିଥିଲେ । ସାମଗ୍ରୀତକ କିଣିସାରିବା ପରେ ସେଠାରୁ ଆସି ଏକ ନିର୍ଦ୍ଦିଷ୍ଟ ଠେଲାରେ ଭୁଜା ଆଦି ଖାଇଥିବା ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଛି । ରାତି ପାଖାପାଖି ୮ଟା ପର୍ଯ୍ୟନ୍ତ କ୍ଷେତ୍ର ଘରକୁ ନ ଫେରିବାରୁ ପରିବାରବର୍ଗ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ । ଫୋନ୍ ରିସିଭ୍ ନ କରିବାରୁ ସେମାନେ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ବରବାହାଲ ମଲ୍ଲିକମୁଣ୍ଡା ରାସ୍ତା କଡ଼ରେ ତାଙ୍କ ବାଇକ ତଳେ ପଡ଼ିଥିବା ସହ ତାଙ୍କ ଜ୍ୟାକେଟ୍ ଏବଂ ଚପଲ ମଧ୍ୟ ପଡ଼ିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ପାଖରେ ଥିବା ଏକ ଚାଖୁଣ୍ଡା ଗଛରେ କ୍ଷେତ୍ର ଝୁଲୁଥିବା ଦେଖିବାକୁ ପାଇଥିଲେ ।
ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ପାଟଣାଗଡ଼ ପୁଲିସକୁ ଜଣାଇଥିଲେ । ସକାଳୁ ପୁଲିସ ସାଇଣ୍ଟିଫିକ ଟିମ୍ର ସହାୟତାରେ ଝୁଲନ୍ତା ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟାଙ୍କ କହିଛନ୍ତି । ଅପରପକ୍ଷେ କ୍ଷେତ୍ରଙ୍କ ପକେ ତାଙ୍କ ମୋବାଇଲ ଫୋନ୍ ସହ ୧୮ଶହ ଟଙ୍କା ମିଳିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Comment