ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ: ଓମ୍ଫେଡ୍ କ୍ଷୀର ଚୋରି ପ୍ରସଙ୍ଗରେ ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

Odisha Hot News
2 Min Read

ଭୁବନେଶ୍ୱର: ଓମ୍ଫେଡ୍ ହେଉଛି ଲୋକମାନଙ୍କର ସଂସ୍ଥା। ଲକ୍ଷ ଲକ୍ଷ ଦୁଗ୍ଧଚାଷୀ ଓ ସେମାନଙ୍କର ପରିବାରଙ୍କର ଜୀବିକା ଏଥିରେ ଜଡିତ ରହିଛି। ତେଣୁ ଓମ୍ଫେଡରୁ କେହି ଚୋରି କଲେ କି ଦୁର୍ନୀତି କଲେ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଦେଇଛନ୍ତି।

ଏହି ଘଟଣାରେ କିଛି କର୍ମଚାରୀ ସଂପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ସେ ସଂପର୍କରେ ତଦନ୍ତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟ ଆଧାରରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୌଣସି ପରିସ୍ଥିତିରେ ବି ଦୁର୍ନୀତିକୁ ପ୍ରସୟ ଦିଆଯିବ ନାହିଁ ଏବଂ ସେ ଯେ କୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଡ୍ରାଇଭରମାନଙ୍କର ଏହି ଆନ୍ଦୋଳନ ପାଇଁ ଓମ୍ଫେଡର ଜରୁରୀ ସେବାରେ କୌଣସି ଅସୁବିଧା ହୋଇନାହିଁ। ମେଡିକାଲ, ସ୍କୁଲ, ହୋଟେଲ ଆଦିକୁ ଓମ୍ଫେଡର ନିଜସ୍ୱ ଗାଡି ଏବଂ ଭଡା ଗାଡିରେ କ୍ଷୀର ଯୋଗାଇ ଦିଆଯାଇଛି। ଅପରାହ୍ନ ୪ ଟା ସୁଦ୍ଧା ପ୍ରାୟ ସବୁ ସ୍ଥାନରେ କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯାଇଥିବା ଓମ୍ଫେଡ ପକ୍ଷରୁ କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଓମ୍ଫେଡର ଅରିଲୋସ୍ଥିତ ପ୍ଲାଣ୍ଟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ରାତିରେ କ୍ଷୀର ସହ ଓମ୍ଫେଡ୍ ର ଅନ୍ୟାନ୍ୟ ଉତ୍ପାଦ ଗାଡିରେ ଲୋଡ ହେଉଥିବା ବେଳେ କିଛି ଅସାଧୁ କର୍ମଚାରୀ ଏବଂ ଗାଡି ଡ୍ରାଇଭରଙ୍କ ସଲାସୁତରାରେ ତାଲିକାଠାରୁ ଅଧିକ ଦୁଗ୍ଧ ଅସତ୍ ଉପାୟରେ ଗାଡିରେ ଲୋଡ ହେଉଥିବାର ଅଭିଯୋଗ ହେଇଥିଲା।

ପ୍ଲାଣ୍ଟରୁ ଅସତ୍ ଉପାୟରେ ଓମ୍ଫେଡ୍ ଉତ୍ପାଦ ଯାଉଥିବା ଅଭିଯୋଗ ହେବା ପରେ ପରିଚାଳନା ନିର୍ଦ୍ଦେଷ୍କ ସପ୍ରମାଣ ଧରିବା ପାଇଁ ପୂର୍ବରୁ ତୀକ୍ଷ୍ନ ନଜର ରଖିଥିଲେ। ଗତକାଲି ରାତିରେ କ୍ଷୀର ପରିବହନ ହେଉଥିବା ସମୟରେ ଏହା ଜଣାପଡିଥିଲା। ଖବର ପାଇ ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ଡ୍ରାଇଭରଙ୍କ ନାମରେ ଆଇନ ଅନୁଯାୟୀ ଥାନାରେ ଏଫଆଇଆର ଦେଇଥିଲେ। ପୋଲିସ ମଧ୍ୟ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ଅନ୍ୟ ଡ୍ରାଇଭରମାନେ ଆନ୍ଦୋଳନ କରିଥିଲେ। ଫଳରେ କିଛି ସମୟ ପାଇଁ କ୍ଷୀର ପରିହନ ବାଧାପ୍ରାପ୍ତ ହୋଇଥିଲା।

Share This Article