ସମ୍ପନ୍ନ ହେଲା ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସ୍ନାନନୀତି: ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହେଲା ୧୦୮ଗରା ସୁବାସିତ ଜଳ

Odisha Hot News
1 Min Read

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ପବିତ୍ର ସ୍ନାନପୁର୍ଣିମା ଉପଲକ୍ଷେ ବାଣପୁରର ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସ୍ନାନନୀତି ମନ୍ଦିର ପରିସରରେ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କର ନୀତିକାନ୍ତି ଅନୁସାରେ ପ୍ରଭୁ ସ୍ନାନମଣ୍ଡପରେ ଉଭାହୋଇ ୧୦୮ଗରା ସୁବାସିତ ଜଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି ହୋଇଥିଲା।

ସ୍ନାନମଣ୍ଡପରେ ସକାଳ ଧୂପ ହୋଇ ଭୋଗ ଗ୍ରହଣ କରିଥିଲେ ମହାପ୍ରଭୁ। ଏହି ମାନବୀୟ ଲୀଳାକୁ ଶହ ଶହ ଶ୍ରଦ୍ଧାଳୁ ମାନେ ଦେଖି ବିଭୋର ହୋଇଯାଇଥଲେ। ଏହି ସବୁର କାର୍ଯ୍ୟକ୍ରମ ପାଇଁ ଗତକାଲି ଠାରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା।

ସନ୍ଧ୍ୟା ସମୟରେ ପ୍ରଭୁଙ୍କୁ ହାତୀବେଶରେ ଭକ୍ତମାନେ ଦର୍ଶନ କରିଥିଲେ। ସ୍ନାନପୁର୍ଣିମା ରାତିରେ ପ୍ରଭୁ ଅଣସର ପିଣ୍ଡିରେ ବିଜେ ହେବେ। ରବିବାର ଠାରୁ ରଙ୍କନାଥ ଦେବଙ୍କ ଅନବସର କାଳୀନ ଗୁପ୍ତପୂଜା ହେବ। ପିଣ୍ଡି ସମ୍ମୁଖରେ ପଟିଦିଅଁ ପୂଜା ପାଇବେ। ଠାକୁରଙ୍କ ପାରମ୍ପରିକ ସେବକ ପଟିଦିଅଁଙ୍କୁ ପ୍ରସ୍ତୁତ କରିଛନ୍ତି।

ବିଳମ୍ବିତ ରାତିରେ ମନ୍ଦିରକୁ ପଟିଦିଅଁ ବିଜେ ହେବେ।  ଗୁପ୍ତପୂଜା ସମୟରେ ଶ୍ରୀ ବିଗ୍ରହଙ୍କୁ ଦର୍ଶନ ବାରଣ ଥିବାରୁ ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯାଏ। ପଟିଦିଅଁ ସ୍ୱରୂପ ଜଗନ୍ନାଥଙ୍କ ସ୍ଥାନରେ ଶ୍ରୀ ନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯିବାର ପରମ୍ପରା ଥିବା ପରିଚାଳନା କମିଟି ଦାଶରଥି ସାହୁ କହିଛନ୍ତି। ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରି ପୂଜା କରିବାର ଵିଧି ଅଛି।

Share This Article