ଓଡ଼ିଶା ଉପକୂଳରେ ଡିଆରଡିଓ ଦ୍ୱାରା ସୁପରସୋନିକ୍ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ ପ୍ରଣାଳୀର ସଫଳ ପରୀକ୍ଷଣ

Odisha Hot News
1 Min Read

ଭୁବନେଶ୍ଵର: ଓଡ଼ିଶା ଉପକୂଳରେ ଥିବା ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ୨୦୨୪ ମେ ୧ ତାରିଖ ସକାଳ ପ୍ରାୟ ସାଢ଼େ ୮ଟାରେ ସୁପରସୋନିକ୍ କ୍ଷେପଣାସ୍ତ୍ର ସହାୟକ ଟର୍ପେଡୋ (ସ୍ମାର୍ଟ) ପ୍ରଣାଳୀର ସଫଳ ପରୀକ୍ଷଣ କରାଯାଇଛି। ସ୍ମାର୍ଟ ହେଉଛି ପରବର୍ତ୍ତୀ ପିଢ଼ିର କ୍ଷେପଣାସ୍ତ୍ର ଆଧାରିତ ହାଲୁକା ଓଜନର ଟର୍ପେଡୋ ଡେଲିଭରି ସିଷ୍ଟମ, ଯାହାକି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ଡିଜାଇନ୍ ଏବଂ ବିକଶିତ ହୋଇଛି। ଏହି ପ୍ରଣାଳୀ ଭାରତୀୟ ନୌସେନାର ପାରମ୍ପରିକ ହାଲୁକା ଟର୍ପେଡୋର ପାରମ୍ପରିକ ପରିସରଠାରୁ ବହୁ ଦୂରରେ ବୁଡ଼ାଜାହାଜ ବିଧ୍ୱଂସୀ ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ଡିଜାଇନ୍ ଏବଂ ବିକଶିତ କରାଯାଇଛି।

ଏହି କ୍ଷେପଣାସ୍ତ୍ର ପ୍ରଣାଳୀରେ ଅନେକ ଉନ୍ନତ ଉପ-ପ୍ରଣାଳୀ ରହିଛି, ଯଥା ଦୁଇ ପର୍ଯ୍ୟାୟ ଆଧାରିତ କଠିନ ପ୍ରୋପଲସନ ସିଷ୍ଟମ, ଇଲେକ୍ଟ୍ରୋ ମେକାନିକାଲ୍ ଆକ୍ୟୁଏଟର ସିଷ୍ଟମ, ପ୍ରିସାଇସନ୍ ଇନର୍ସିଆଲ୍ ନେଭିଗେସନ୍ ସିଷ୍ଟମ ଇତ୍ୟାଦି। ଏହି ପ୍ରଣାଳୀ ଏକ ପାରାସୁଟ୍ ଆଧାରିତ ରିଲିଜ୍ ସିଷ୍ଟମ୍ ସହିତ ଏକ ପେଲୋଡ୍ ଭାବେ ଅତ୍ୟାଧୁନିକ ହାଲୁକା ଟର୍ପିଡୋକୁ ବହନ କରିନେଇଥାଏ।

ଏହି କ୍ଷେପଣାସ୍ତ୍ରକୁ ଗ୍ରାଉଣ୍ଡ ମୋବାଇଲ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା। ଏହି ପରୀକ୍ଷଣରେ ସିମେଟ୍ରିକ୍ ଅଲଗା ହେବା, ଇଜେକ୍ସନ ଏବଂ ବେଗ ନିୟନ୍ତ୍ରଣ ଭଳି ଅନେକ ଅତ୍ୟାଧୁନିକ ପ୍ରଣାଳୀକୁ ଯାଞ୍ଚ କରାଯାଇଛି।

ସ୍ମାର୍ଟର ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଶିଳ୍ପ ସହଯୋଗୀମାନଙ୍କୁ ପ୍ରଶଂସା କରିଛନ୍ତି। ଏହି ବ୍ୟବସ୍ଥାର ବିକାଶ ଦ୍ୱାରା ଆମ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ସମଗ୍ର ସ୍ମାର୍ଟ ଟିମର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିବା ସହ ଉତ୍କର୍ଷ କାର୍ଯ୍ୟକୁ ଜାରି ରଖିବାକୁ ଅନୁରୋଧ କରିଥିଲେ।

Share This Article