ଗିଲ୍‌ଙ୍କୁ ହରାଇଲେ ରାହୁଲ

Odisha Hot News
1 Min Read

ଲକ୍ଷ୍ନୌ: ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ୩୩ ରନ୍‌ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ପରାଜୟରୁ ଅଭିଯାନ ଆରମ୍ଭ କରିଥିବା କେଏଲ୍ ରାହୁଲଙ୍କ ଦଳ ଏବେ ହ୍ୟାଟ୍ରିକ୍ ବିଜୟ ସହ ତୃ୍ତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ମାର୍କସ ଷ୍ଟୋଇନିସ୍‌ଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ପରେ ୟଶ ଠାକୁରଙ୍କ ୫ ୱିକେଟ୍ ସଫଳତା ଲକ୍ଷ୍ନୌକୁ ଘରୋଇ ମାଟିରେ ଏହି ସହଜ ବିଜୟ ଦେଇଛି। ଘରୋଇ ଦଳ ମାତ୍ର ୧୬୩ ରନ୍ କରିଥିଲେ ମଧ୍ୟ ଠାକୁରଙ୍କ ପ୍ରଭାବୀ ପେସ୍‌ ବୋଲିଂ କାରଣରୁ ଶୁବମନ ଗିଲ୍‌ଙ୍କ ଦଳ ୧୩୦ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପାୱାର ପ୍ଲେରୁ ୫୪ ରନ୍ ଆଦାୟ କରିବା ପରେ ମାତ୍ର ୭ ରନ୍‌ ଭିତରେ ୪ ୱିକେଟ୍ ହରାଇ ଗୁଜରାଟ ସୁଯୋଗ ହାତଛଡ଼ା କରିଥିଲା। ଚଳିତ ଋତୁର ପ୍ରଥମ ୫ ୱିକେଟ୍ ସଫଳତା ପାଇଥିବା ୟଶ ଠାକୁର (୩.୫-୧-୩୦-୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଚମତ୍କାର ବୋଲିଂ ଚିତ୍ର (୪-୦-୧୧-୩) ସହ ଗୁଜରାଟକୁ ରୋକିଥିଲେ।

ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ଅଢ଼େଇ ଓଭର ଭିତରେ ଦୁଇ ପ୍ରାରମ୍ଭିକ ବ୍ୟାଟର୍‌ କ୍ବିଣ୍ଟନ୍ ଡି’କକ୍‌ ଓ ଦେବୀଦତ୍ତ ପଡ଼ିକଲଙ୍କୁ ହରାଇବାରୁ ବିସ୍ଫୋରକ ଆରମ୍ଭ ପାଇନଥିଲା। ‌କେଏଲ୍ ରାହୁଲ (୩୩ ରନ୍) ଓ ମାର୍କସ ଷ୍ଟୋଇନିସ୍ (୫୮ ରନ୍) ୭୩ ରନ୍ ଭାଗୀଦାରି କରି ପାଳି ଗଢ଼ିଥିଲେ। ଶେଷ ଭାଗରେ ନିକୋଲାସ୍ ପୂରନ (୨୨ ବଲ୍‌ରୁ ୩୨* ରନ୍) ଏବଂ ଆୟୁଷ ବଦୋନୀ (୧୧ ବଲ୍‌ରୁ ୨୦ ରନ୍) କିଛିଟା ଆକ୍ରମଣାତ୍ମକ ଖେଳିବାରୁ ଦଳ ସମ୍ମାନଜନକ ସ୍କୋର୍‌ କରିପାରିଥିଲା।

Share This Article