ଚାନ୍ଦପୁର: ଟ୍ରକରୁ ୨୫୦ ବସ୍ତା ସିମେଣ୍ଟ ଚୋରି ପ୍ରସଙ୍ଗ, ୩ ଲୁଟେରା ଗିରଫ, ଦୁଇଟି ଟ୍ରାକ୍ଟର ଜବତ

Odisha Hot News
1 Min Read

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ବଡ ସଫଳତା ମିଳିଛି। ସିମେଣ୍ଟ ବୋଝେଇ ଟ୍ରକରୁ ୨୫୦ ବସ୍ତା ଚୋରୀ ମାମଲାର ପୋଲିସ ପର୍ଦ୍ଦାଫାସ କରି ୩ ଲୁଟେରାଙ୍କୁ ଗିରଫ କରିବା ସହ ରାମକୋ କମ୍ପାନୀର ୭୨ ବସ୍ତା ସିମେଣ୍ଟ ଏବଂ ଦୁଇଟି ଟ୍ରାକ୍ଟର ଜବତ କରିଛି।

ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଯାଜପୁର ଜିଲ୍ଲାର ରାମକୋ ସିମେଣ୍ଟ କମ୍ପାନୀରୁ ୫୦୦ ବସ୍ତା ସିମେଣ୍ଟ ବୋଝେଇ ଟ୍ରକ ଚାନ୍ଦପୁର ଅଭିମୁଖେ ବାହାରିଥିଲା। ଚାନ୍ଦପୁର ନିକଟ ରାଇପଡା ଠାରେ ୨୫୦ ବସ୍ତା ସିମେଣ୍ଟ ଖାଲି କରିବା ପରେ ଟ୍ରକଟି ଚଣ୍ଡେଶ୍ୱର ଅଭିମୁଖେ ବାହାରିଥିଲା। ହେଲେ ରାସ୍ତାରେ ସିମେଣ୍ଟ ବୋଝେଇ ଟ୍ରକଟି ଖରାପ ହେବାରୁ ଟ୍ରକ ଚାଳକ କେରେଣ୍ଡା ଟାଙ୍ଗୀ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ପାର୍କିଂ କରି ସେହି ଟ୍ରକ କ୍ୟାବିନରେ ବିଶ୍ରାମ ନେଇଥିଲେ। ତେବେ ୨୬ ତାରିଖ ଭୋର ସମୟରେ କେତେକ ଲୁଟେରା ଘଟଣା ସ୍ଥଳରେ ପହଁଚି ଟ୍ରକ ଚାଳକକୁ ଭୟଭୀତ କରି ୪୦୭ ଓ ଟ୍ରାକ୍ଟର ଲଗାଇ ନିମିଷକ ମଧ୍ୟରେ ଟ୍ରକରୁ ସମସ୍ତ ୨୫୦ ବସ୍ତା ସିମେଣ୍ଟ ଲୁଟି ନେଇଥିଲେ।

ଟ୍ରକ ଚାଳକ ଚାନ୍ଦପୁର ଥାନାରେ ପହଁଚି ଲିଖିତ ଅଭିଯୋଗ କରିବା ପରେ ଚାନ୍ଦପୁର ପୋଲିସ ଆଇଆଇସି ଜଗଦୀଶ ଚନ୍ଦ୍ର କର ଓ ସବ ଇନ୍ସପେକ୍ଟର କ୍ଷେତ୍ରବାସୀ ହରିଚନ୍ଦନ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଲୁଟେରାଙ୍କୁ ଗିରଫ କରିଛନ୍ତି। ଗିରଫ ଲୁଟେରା ମାନେ ହେଲେ ଚାନ୍ଦପୁର ଥାନା ଅଞ୍ଚଳର କୁଶ ବେହେରା (୨୪ ବର୍ଷ) ସୁବଳ ପ୍ରଧାନ (୨୨ ବର୍ଷ) ଓ ରାଧାକୃଷ୍ଣ ପାଇକରାୟ ବୋଲି ଜଣା ପଡିଛି। ଏହା ସହ ଚାନ୍ଦପୁର ପୋଲିସ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରୀ ରଖିଛି।

Share This Article