ରାଜ୍ୟ ସମବାୟ ବ୍ୟାଙ୍କ ଦ୍ଵାରା ପାକ୍ସଗୁଡିକୁ ସହାୟତା ପ୍ରଦାନ, ୫୦ହଜାର ଟଙ୍କା ଲେଖାଏଁ କରିବେ ଖର୍ଚ୍ଚ

Odisha Hot News
2 Min Read

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ପାକ୍ସ ଗୁଡିକୁ ସହାୟତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଲେ ଯେ, ସମବାୟ ପ୍ରାଥମିକ କୃଷି ସେବା ସମବାୟ ସମିତି ଗୁଡିକର ଉତ୍କର୍ଷ ସାଧନ ପାଇଁ ଏଗୁଡ଼ିକର ସଦସ୍ୟ ସଦସ୍ୟାଙ୍କ ନିଷ୍ଠାପର ଅବଦାନ ଅପରିହାର୍ଯ୍ୟ।

ସମବାୟ ସମିତି ଗୁଡିକ ସୁଦୃଢ ଓ ସଶକ୍ତ ହେଲେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ରାଜ୍ୟ ସରକାର ପାକ୍ସ ଗୁଡିକୁ ସୁଦୃଢ କରିବା ପାଇଁ ସହାୟତା ପ୍ରଦାନ କରୁଛନ୍ତି l  ସେଗୁଡିକୁ ଉପଯୁକ୍ତ ଜମି ଯୋଗାଇ ଦିଆଯାଉଛି। ଭିତ୍ତିଭୂମିର ବିକାଶ ନିମନ୍ତେ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଛି।

ବିଳମ୍ବ ନ କରି  ସମୟୋଚିତ ଢଙ୍ଗରେ ଏହି ଆର୍ଥିକ ସହାୟତା ରାଶିର ସୁବିନିଯୋଗ ଜରୁରୀ।ମାର୍ଶାଘାଇ ଓ ମହାକାଳପଡ଼ା ଅଞ୍ଚଳର ୩୪ ଟି ପାକ୍ସକୁ  ଏହି ସହାୟତା ରାଶି ପ୍ରଦାନ କରାଯାଇଛି। ପର୍ଯ୍ୟାୟକ୍ରମେ ଅନ୍ୟ ସବୁ ବ୍ଲକରେ ଥିବା ପାକ୍ସ ଗୁଡିକୁ ଏହି ସହାୟତା ରାଶି ପ୍ରଦାନ କରାଯିବ।

ଓଡ଼ିଶା ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଟି ପ୍ରସାଦ ରାଓ ଦୋରା ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ସାରା ଭାରତରେ ଚାଷୀଙ୍କ ବୀମାକୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି। ଲ୍ୟାମ୍ପ୍ସ ଓ ପାକ୍ସ ଗୁଡିକର କମ୍ପୁଟରୀକରଣ , ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଓ ଭିତ୍ତିଭୂମି ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବାରୋପ କରୁଛନ୍ତି।

ଜାତୀୟ ସ୍ତରରେ କୃଷି କ୍ଷେତ୍ରକୁ ସମବାୟ ଋଣ ମାତ୍ର ୧୭ ପ୍ରତିଶତ ଥିବାବେଳେ ଆମ ରାଜ୍ୟରେ କୃଷି ନିମନ୍ତେ ସମବାୟ ଋଣ ୫୨ ପ୍ରତିଶତ ହାସଲ କରିବା ନିଶ୍ଚିତ ରୂପେ ଗୌରବର ବିଷୟ ବୋଲି ଶ୍ରୀ ଦୋରା ମତବ୍ୟକ୍ତ କରିଥିଲେ।

ବୈଠକରେ ଓଡ଼ିଶା ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଉଦ୍ଧବ ଚନ୍ଦ୍ର ମାଝୀ ,  କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନନ୍ତ କୁମାର ସାମଲ ଏବଂ ୩୪ ଟି ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି, ଉପସଭାପତି ଓ  ସମ୍ପାଦକଗଣ ଏହି ସମାରୋହରେ ଉପସ୍ଥିତ ଥିଲେ।

Share This Article