ଭୁବନେଶ୍ୱର : ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ପନିପରିବା ରହିଛି। ଶଟ୍ଡାଉନ୍ ପରଠାରୁ ଏବେ ବଜାରରେ ସବୁଜ ପନିପରିବା ଦର ହୁ ହୁ ହୋଇ ବଢ଼ି ଚାଲିଛି। ବେପାରୀମାନେ ମନଇଚ୍ଛା ଦର ନେଉଥିଲେ ମଧ୍ୟ ସେମାନଙ୍କ ଉପରେ ଅଙ୍କୁଶ ରହୁନି। ଏପରି ଆକାଶଛୁଆଁ ଦରକୁ ନେଇ ଲୋକେ ଚିନ୍ତାରେ ପଡିଛନ୍ତି।
ସହରର ଅଧିକାଂଶ ଲୋକ ଭୁବନେଶ୍ୱର ୟୁନିଟ-୧ ଓ ୟୁନିଟ-୪ ଭଳି କେତେକ ହୋଲ୍ସେଲିଂ ବଜାର ଉପରେ ନିର୍ଭର କରୁଥିଲେ। କରୋନା କଟକଣା ପାଇଁ ପରିବାର ବଜାରକୁ ଖୋଲାସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଲୋକଙ୍କ ଗହଳି କମୁନି କି ସାମାଜିକ ଦୂରତ୍ୱ ରହୁନି। ତେଣୁ ଲୋକଙ୍କୁ ହୋଲ୍ସେଲିଂ ଦୋକାନ ମନା କରାଯାଇଥିବାବେଳେ ବିଭିନ୍ନ କଲୋନୀରେ ୬୮ ଖୁଚୁରା ପରିବା ବଜାର ଖୋଲାଯାଇଛି। ଲୋକଙ୍କ ପାଇଁ ହାଟ ବଜାର ବନ୍ଦ ହେବା ପରେ ଏହାର ସୁଯୋଗ ନେଇ ଏବେ ଖୁଚୁରା ବ୍ୟବସାୟୀ ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଥିବା ନଜରକୁ ଆସିଛି। କେତେଜଣ ଅସାଧୁ ବ୍ୟବସାୟୀ କଳାବଜାରି ଆରମ୍ଭ କରି ଚଢ଼ା ଦରରେ ସାମଗ୍ରୀ ବିକ୍ରି କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ସୋମବାର ହାଟରେ ଆଳୁ ଦର ୨୦ରୁ ୨୫ ଟଙ୍କା ଥିବାବେଳେ ମଙ୍ଗଳବାର ଖୁଚୁରା ବ୍ୟବସାୟୀମାନେ ଏହାକୁ ୩୦ରୁ ଅଧିକ ଟଙ୍କାରେ ବିକ୍ରି କରିଥିଲେ। ସେହିପରି ସବୁଜ ପନିପରିବା ଦର ୫୦ରୁ ଅଧିକ ରହିଥିଲା।
ଏନେଇ ବିଏମ୍ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ଭୁବନେଶ୍ୱର ନାଗରିକଙ୍କଠାରୁ ଏନେଇ କିଛି ବି ଅଭିଯୋଗ ବିଏମ୍ସିର ହସ୍ତଗତ ହୋଇନାହିଁ। ଯଦି ଏପରି କିଛି କାର୍ଯ୍ୟ ହେଉଥିବ ତା ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ ବାଜ୍ୟାପ୍ତ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଚିନ୍ତା ବଢ଼ାଇଛି ପରିବା ଦର

Leave a Comment
Leave a Comment