ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦

Odisha Hot News
2 Min Read

ଭୁବନେଶ୍ୱର: ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଭାବୀ ଢଙ୍ଗରେ ସ୍ୱତନ୍ତ୍ର ସ୍ଵଚ୍ଛତା ଅଭିଯାନ ୩.୦ର ଶୁଭାରମ୍ଭ ହୋଇଛି। ଗତକାଲି ଏମ୍ସ ପରିସରରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସପିଏ) ର ପ୍ରାୟ ଅଢେଇ ଶହ ପୋଲିସ୍ କର୍ମଚାରୀ ଏବଂ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ର ସତୁରୀ ଜଣ ଯବାନ୍ ଙ୍କ ସ୍ବେଚ୍ଛାକୃତ ଯୋଗଦାନ ଉଲ୍ଲେଖନୀୟ ଆକର୍ଷଣ ସାଜିବା ସହିତ ଉତ୍ସାହ ବଢ଼େଇଥିଲା।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଧର୍ମଶାଳା ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନରେ ଡିନ୍ ଡ. ପି ଆର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡ. ଦିଲ୍ଲୀପ କୁମାର ପରିଡ଼ା, ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ମୁଖ୍ୟ ଡ. ଜବାହର ଏସ୍ କେ ପିଲ୍ଲାଇ, ଡ. ମୁକୁନ୍ଦ ଚନ୍ଦ୍ର ସାହୁ, ଡ. ଅଶୋକ କୁମାର ଜେନା, ଡ. ପ୍ରଭାସ ରଂଜନ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିପିଏସପିଏ ଏବଂ ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଓପିଡି ଫୟାରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଂଶଗ୍ରହଣକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସ୍ୱଚ୍ଛତା ଶପଥ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ବିଶାଳ ସଫେଇ ଅଭିଯାନରେ ସମସ୍ତେ ସାମିଲ ହୋଇଥିଲେ। ସ୍ୱଚ୍ଛତାର ଗୁରୁତ୍ୱ ଏବଂ ସମାଜରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମସ୍ୟାର ସମାଧାନ ପାଇଁ ସ୍ବେଚ୍ଛାସେବୀମାନେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଡ. ଆଶୁତୋଷ ବିଶ୍ଵାସ ଉପସ୍ଥିତ ସମସ୍ତଙ୍କୁ ଏକ ପ୍ରେରଣାଦାୟୀ ଅଭିଭାଷଣ ପ୍ରଦାନ କରିବା ସହିତ ସ୍ଵଚ୍ଛତା ଅଭିଯାନରେ ଏପରି ଉତ୍ସର୍ଗୀକୃତ ସଂପୃକ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ।

ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ, ସ୍ବଚ୍ଛତା ହିଁ ସେବା ଅଭିଜାନ ଅନ୍ତର୍ଗତ ଅଭିଯାନରେ ଏମ୍ସ ଭୁବନେଶ୍ଵର ନିଜର ଏବଂ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖିବା ନିମନ୍ତେ ଶତତ ପ୍ରୟାସ ଜାରି ରଖିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ଵାସ ମତବ୍ୟକ୍ତ କରିଛନ୍ତି।

Share This Article