ଯାଜପୁର-କେନ୍ଦୁଝର ରୋଡ଼- ଧାମରା ପୋର୍ଟ ରେଳ ଲାଇନ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେକୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ

Odisha Hot News
1 Min Read

ଭୁବନେଶ୍ଵର: ଯାଜପୁର ଟାଉନ ଓ ଆରଡ଼ି ମାର୍ଗ ଦେଇ ଯାଜପୁର ଶିଳ୍ପାଞ୍ଚଳର ପ୍ରବେଶ ଦ୍ୱାର ଯାଜପୁର-କେନ୍ଦୁଝର ରୋଡ ଏବଂ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ 96 କି.ମି ଦୈର୍ଘ୍ୟ ପ୍ରସ୍ତାବିତ ନୂତନ ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (FLS) କୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛି।

ସର୍ଭେ କାର୍ଯ୍ୟ କରିବା ପାଇଁ 2.4 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଆରଡ଼ି ପୀଠରେ ଆଖଣ୍ଡଳମଣି ମନ୍ଦିର ଏବଂ ବିରଜା କ୍ଷେତ୍ର ଯାଜପୁର ଟାଉନ୍ ପରି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳୀକୁ ଏହି ପ୍ରସ୍ତାବିତ ରେଳ ଲାଇନ ସଂଯୋଗ କରିବ।

ଯାଜପୁର ଏବଂ ଭଦ୍ରକ ଜିଲ୍ଲାବାସୀଙ୍କ ଏହା ଏକ ଦୀର୍ଘ ଦିନର ଦାବି ଏବଂ ଏହା ବହୁ ପ୍ରତୀକ୍ଷିତ ଜନସାଧାରଣଙ୍କ ଆକାଂକ୍ଷା ମଧ୍ୟ ଅଟେ। ଏହି ପ୍ରସ୍ତାବିତ ନୂତନ ଲାଇନଟି ଯାଜପୁର, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ମଧ୍ୟ ସଂଯୋଗ କରିବ।  ଏହା ବ୍ୟତୀତ କେନ୍ଦୁଝର ଜିଲ୍ଲାରୁ ଖଣିଜ ପଦାର୍ଥ, ଯାଜପୁର ଓ ଅନୁଗୁଳ ଜିଲ୍ଲାର ଶିଳ୍ପାଞ୍ଚଳ ରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ପଣ୍ୟ ପରିବହନ ଯାତାୟାତ ସହଜ ହେବା ସହିତ ଆର୍ଥିକ ଦୃଷ୍ଟିରୁ ସହାୟକ ହେବ।

ଏହି ପ୍ରସ୍ତାବିତ ନୂତନ ରେଳ ଲାଇନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କର “ପୂର୍ବୋଦୟ” ଦର୍ଶନର ଏକ ଅଂଶ। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ବାରମ୍ବାର ଉଦ୍ୟମ ଜାରିରଖି ଯାଜପୁର କେନ୍ଦୁଝର ରୋଡ଼ ଓ ଧାମରା ମଧ୍ୟରେ ନୂତନ ରେଳ ଲାଇନ ପାଇଁ ନିଜର ଦୃଢ ମତ ଉପସ୍ଥାପନ କରିଥିଲେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଯାଜପୁର ଓ ଭଦ୍ରକ ଗସ୍ତ ସମୟରେ ମଧ୍ୟ ଜନସାଧାରଣଙ୍କ ଆକାଂକ୍ଷା ଗ୍ରହଣ କରିଥିଲେ ଏବଂ ପ୍ରସ୍ତାବିତ ନୂତନ ରେଳ ଲାଇନକୁ ବିଚାର କରିବାକୁ ପ୍ରତିଶୃତି ଦେଇଥିଲେ।

Share This Article