‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ

Odisha Hot News
2 Min Read

ଭୁବନେଶ୍ୱର : ସାରା ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ବିଶ୍ୱ ମହାମାରୀଭାବେ ଘୋଷଣା କରାଯାଇଥିବା ବେଳେ ରାଷ୍ଟ୍ରୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏହି ମହାମାରୀର ମୁକାବିଲା କରିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ନିରାକରଣ କରିବାକୁ ହେଲେ ସମସ୍ତଙ୍କୁ ସଂଯମ ଓ ସଂକଳ୍ପର ଆବଶ୍ୟକତା ରହିଛି ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରବିବାର ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରାଯିବ। ପ୍ରତି ନାଗରିକ ନିଜ ଘର ଭିତରେ ରହିବା ଦରକାର। ‘ଜନତା କର୍ଫ୍ୟୁ’ ପାଳନ କରି କରୋନା କବଳରୁ ଦେଶ ଏବଂ ରାଜ୍ୟକୁ ସୁରକ୍ଷିତ ରଖିବାକୁ ସେ ଅନୁରୋଧ କରିଛନ୍ତି। କେବଳ ଜରୁରୀ ସେବାରେ ନିୟୋଜିତ ଥିବା ଲୋକଙ୍କୁ ଅପରାହ୍ନ ୫ଟାରେ ନିଜନିଜ ଘର ଦୁଆରେ କିମ୍ବା ବାଲ୍‌କୋନିରେ ଛିଡ଼ା ହୋଇ ୫ ମିନିଟ ପର୍ଯ୍ୟନ୍ତ ତାଳି ମାରି କିମ୍ବା ଘଣ୍ଟି ବଜାଇ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା। ‘ସାମାଜିକ ଦୂରତା’ ନିୟମ ପାଳନ କରିବା ଜରୁରୀ, ଅଯଥା ଯାତ୍ରା ନ କରିବା ଦରକାର। ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ଆଗାମୀ କିଛି ସପ୍ତାହ ଘରୁ ନ ବାହାରିବା, ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକ ନ ଥିଲେ ମେଡିକାଲଠାରୁ ଦୂରରେ ରହିବା, ଅତି ଆବଶ୍ୟକ ନ ପଡିଲେ ଅସ୍ତ୍ରୋପଚାର ନ କରିବା ଦରକାର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାନ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଲିଫଲେଟ ଓ ବ୍ୟାନର ମାଧ୍ୟମରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ସାମାଜିକ ଗଣମାଧ୍ୟମ ଦ୍ୱାରା ପହଞ୍ଚାଇବାକୁ ଭାଜପା ରାଜ୍ୟ ଶାଖା ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସମୀର ସୂଚନା ଦେଇଛନ୍ତି। ଭୟାବହ ଓ ମାରାତ୍ମକ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟବାସୀଙ୍କୁ ସମୀର ନିବେଦନ କରିଛନ୍ତି।

Share This Article
Leave a Comment