ଓଡ଼ିଶାରେ କରୋନା; ସ୍ପଷ୍ଟକଲେ ସରକାର, ଗଣମାଧ୍ୟମକୁ ଦେଲେ ଚେତାବନୀ

Odisha Hot News
1 Min Read

ଭୁବନେଶ୍ୱର : ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସୋମବାର ଆୟୋଜିତ୍‌ ପ୍ରେସ୍‌ମିଟରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହା ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ୩୩ ବର୍ଷୀୟ ଯୁବକ ଇଟାଲୀରେ ଗବେଷଣା କରୁଥିବା ଜଣାପଡ଼ିଛି।
ଏଥିସହ ବାଗ୍‌ଚୀ ଗଣମାଧ୍ୟମକୁ ଦାୟିତ୍ୱବାନ ହେବାକୁ ପରାମର୍ଶ ଦେଇଛନ୍ତି। ଆକ୍ରାନ୍ତ ସନ୍ଦିଗ୍ଧଙ୍କ ନାମ ଓ ପରିଚୟ ଗୋପନ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସୂଚନା ନ ମିଳିବା ପର୍ଯ୍ୟନ୍ତ ଖବର ପ୍ରସାରଣ ନ କରିବାକୁ ସେ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି, ଏହା ବ୍ରେକିଂ ନ୍ୟୁଜ୍‌ ସମୟ ନୁହେଁ, ବ୍ରେକିଂ ନେସ୍‌ ସମୟ। ଏଭଳି ଖବର ପ୍ରସାରଣ କଲେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯୁବକ ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀକୁ ଫେରିଥିଲେ। ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ ୧୨ ତାରିଖରେ ଟ୍ରେନ୍‌ ଯୋଗେ ଭୁବନେଶ୍ବର ଆସିଥିଲେ। ଥଣ୍ଡା, ଜ୍ବର ନ ଛାଡିବାରୁ ୧୩ ତାରିଖରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଯାଇଥିଲା। ସେଠାରେ ତାଙ୍କ ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ଯୁବକ ଜଣକ କରୋନା(କୋଭିଡ-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକଙ୍କ ପରିବାରକୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି। ।
ଏହା ପରେ ରାଜ୍ୟ ସରକାର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି। ଦିଲ୍ଲୀରୁ ଭୁବନେଶ୍ୱର ଆସିବା ସମୟରେ ଟ୍ରେନରେ ଓ ଯାହା ଯାହା ସହିତ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜାଯାଉଛି।

Share This Article
Leave a Comment