କଟକ – ଚାଉଳିଆଗଞ୍ଜ ଥାନା ପକ୍ଷରୁ ଯାଞ୍ଚ ଚାଲିଥିବାବେଳେ ଧରାପଡ଼ିଲା ଆନ୍ତଃଜିଲା ଗାଡ଼ି ଚୋରି ଗ୍ୟାଙ୍ଗ୍। ପୋଲିସ ଗ୍ୟାଙ୍ଗ୍ ମୁଖ୍ୟଙ୍କ ସମେତ ୪ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର୍ ଓ ୧୯ ଚୋରା ବାଇକ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦାମବାଡ଼ି ଥାନା ଅନ୍ତର୍ଗତ ବିଶିନଗର ଦାସସାହି ଅଞ୍ଚଳର କୈଳାସ କର ଓରଫ ଦୁଳିଆ(୩୪), କନ୍ଦରପୁର ଥାନା ଅନ୍ତର୍ଗତ ବିରିବାଟୀ ଅଞ୍ଚଳର ବିଦ୍ୟାଧର ବେହେରା ଓରଫ ବିଦ୍ୟା(୩୯), ଜଗତ୍ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ବଗଲପୁର ଅଞ୍ଚଳର ପ୍ରଭାତ ସାମଲ ଓରଫ କାଶୀ(୩୩), ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେର୍ତ୍ତାଙ୍ଗ ଅଞ୍ଚଳର ପୁରୁଷୋତ୍ତମ ସାହୁ ଓରଫ ପୁରିଆ(୪୦)। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏମାନଙ୍କ ନାମରେ କଟକର ଚାଉଳିଆଗଞ୍ଜ, ମର୍କତନଗର, ବାଦାମବାଡ଼ି, ଜଗତ୍ସିଂହପୁରର ତିର୍ତ୍ତୋଲ ଓ ଭୁବନେଶ୍ୱର ଇନ୍ଫୋସିଟି ଥାନାରେ ବହୁ ଚୋରି ମାମଲା ରହିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ପୋଲିସ ସୂଚନାନୁସାରେ, ବୁଧବାର ଚାଉଳିଆଗଞ୍ଜ ପୋଲିସ ସ୍ଥାନୀୟ ନୟାବଜାର ଛକଠାରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ କାଶୀ ଏବଂ ଦୁଳିଆ ନମ୍ବର ବିହୀନ ଏକ ବାଇକରେ ଉକ୍ତବାଟ ଦେଇ ଯାଉଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇ ଗାଡ଼ିର କାଗଜପତ୍ର ମାଗିଥିଲେ। ହେଲେ ସେମାନେ ଗାଡ଼ିର କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ ସେମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ପରେ ଚୋରି ଗ୍ୟାଙ୍ଗ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଚଢ଼ାଉ କରାଯାଇ ଗ୍ୟାଙ୍ଗ୍ର ଅନ୍ୟ ଦୁଇ ସଦସ୍ୟ ପୁରିଆ ଓ ବିଦ୍ୟାଙ୍କୁ ଗିରଫ କରି ଥାନାକୁ ଅଣାଯାଇଥିଲା। ଏହି ଦୁଇଜଣ ଚୋରି ବାଇକ୍କୁ ବିକ୍ରି କରିବା ଦାୟିତ୍ୱ ସମ୍ଭାଳୁଥିଲେ। ସମସ୍ତଙ୍କୁ ଜେରା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗୋଟିଏ କାର୍, ୧୭ ବାଇକ ଓ ଗୋଟିଏ କଟର ମେଶିନକୁ ଜବତ କରିଥିଲା ପୋଲିସ। ଜବତ ଚୋରି ଗାଡ଼ିଗୁଡିକ ମଧ୍ୟରେ କାର୍ (ଓଆର୍୨୧ବି-୧୦୮୦), ବାଇକ୍ (ଓଡି୦୫ଏଇ-୬୮୨୧, ଓଡି୦୫ଏଇ-୧୭୩୩, ଓଡି୦୫ଭି-୭୦୦୮, ଓଆର୍୦୪ଜି-୯୮୯୩, ଓଆର୍୦୫ଏଜି-୩୯୯୨, ଓଆର୍୦୫ଏକେ-୦୫୫୯, ଓଆର୍୦୫ଏକେ- ୮୦୯୪, ଓଡି୧୩ଜି-୭୪୨୭, ଓଆର୍୦୨ବିଆର୍-୩୯୮୩, ଓଆର୍୨୧ଏ-୮୬୧୪, ଓଆର୍୦୨ବିବି- ୨୧୧୦, ଓଆର୍୦୫ଏକ୍ୟୁ-୫୫୦୭, ଓଆର୍୧୨ଏ-୯୭୩୯, ଓଆର୍୨୧ଡି-୩୫୬୯, ଓଆର୍୦୫ଏଏଫ୍-୨୪୭୦, ଓଡି୦୫ଏଏଚ୍-୦୧୪୯, ଓଆର୍୦୫ଏପି-୫୯୨୮) ଓ ଅନ୍ୟ ଦୁଇ ବାଇକ୍ର ନମ୍ବର ନାହିଁ। ଏ ନେଇ ପୋଲିସ ଆଇପିସି ଦଫା ୩୭୯, ୧୨୦(ବି), ୪୧୩, ୩୪ରେ ଏକ ମାମଲା (୨୨୫/୧୮) ରୁଜୁ କରି ଅଧିକ ଖୋଳତାଡ଼ କରୁଛି।