ପୂର୍ବତନ ମୁଖ୍ୟ ଶାସନ ସଚିବ ନଳିନୀକାନ୍ତ ପଣ୍ଡାଙ୍କ ପରଲୋକ

Odisha Hot News
2 Min Read

ଭୁବ‌ନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ନଳୀନିକାନ୍ତ ପଣ୍ଡାଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ପାଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଫରେଷ୍ଟ ପାର୍କସ୍ଥିତ ବାସଭବନରେ ଶେଷ ଦର୍ଶନ କରିଥିବାବେଳେ କ୍ରୀଡ଼ା ସଚିବ ବିଶାଳ ଦେବ ଓ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଜି ସକାଳେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଆମେରିକାରୁ ତାଙ୍କ ପୁଅ ପହଞ୍ଚିବା ପ‌ରେ ଆସନ୍ତାକାଲି ତାଙ୍କ ମରଶରୀରକୁ ସ୍ବର୍ଗଦ୍ବାର ନିଆଯାଇ ଅନ୍ତିମ ସଂସ୍କାର କରାଯିବ। ଗତ ମଙ୍ଗଳବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଯାଜପୁର ଶ୍ରୀରାମପୁରର ମୂଳ ବାସିନ୍ଦା ନଳୀନିକାନ୍ତ ପଣ୍ଡା ୧୯୩୧ ମସିହା ମେ ୧୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ସ୍କୁଲ ବେଳ ଯାଜପୁରରେ ବିତିଥିବା‌ ବେଳେ ‌ରେଭେନ୍ସାରେ ଅର୍ଥନୀତି ବିଷୟରେ ସ୍ନାତକ ଟପର ହୋଇଥିଲେ। ଏହାପରେ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଏମ୍‌ଏ ପଢ଼ିବା ପାଇଁ ସୁଯୋଗ ପାଇଥିଲେ। ଦ୍ବିତୀୟ ଓଡ଼ିଆ ଭାବରେ ୧୯୫୪ ମସିହାରେ ସେ ଆଇଏଏସ୍‌ ପାଇଥିଲେ। ଏହା ପରେ ଅର୍ଥ ମନ୍ତ୍ରାଳୟରେ ଚାକିରି ପାଇଥିଲେ। ପରେ ଜାତିସଂଘର ଉପଦେଷ୍ଟା ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ କାଳରେ ୧୯୮୭ରୁ ୧୯୮୯ ମସିହା ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବରେ ସଫଳତାର ସହ କାମ କରି ଅବସର ନେଇଥିଲେ। ଅବସର ପରେ ସିଟିଜେନ୍‌ ଆପେକ୍ସ ଆସୋସିଏସନ ନାମରେ ଏକ ସଂଗଠନ ତିଆରି କରି ସମାଜ ସେବାରେ ଲାଗିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ସୁଧା ପଣ୍ଡା, ଏକମାତ୍ର ଝିଅ ପଙ୍କଜା ପଣ୍ଡା ଓ ତିନିପୁଅଙ୍କ ମଧ୍ୟରୁ ଉଦୟନ ପଣ୍ଡା ଉପସ୍ଥିତ ଥିଲେ। ଅନ୍ୟ ଦୁଇପୁଅ ପ୍ରସନ୍ନଜିତ୍‌ ଓ ପ୍ରଦ୍ୟୁତ ବିଦେଶରେ ଅଛନ୍ତି। ସେମାନେ ପହଞ୍ଚିବା ପରେ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯିବ।

Share This Article
Leave a Comment