ଆଜି ନବଯୌବନ ଦର୍ଶନ

Odisha Hot News
2 Min Read

ପୁରୀ : ଶେଷ ହୋଇଛି ମହାପ୍ରଭୁଙ୍କ ୧୪ ଦିନର ଅଣସର। ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ପ୍ରସ୍ତୁତ ହୋଇସାରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମଙ୍ଗଳବାର ମଧ୍ୟାହ୍ନରେ ଦଇତାପତିମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ଦାରୁବିଗ୍ରହଙ୍କ ନବଯୌବନ ଦର୍ଶନ ମିଳିବ। ଅନ୍ୟପଟେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ରଥ ନିର୍ମାଣ କାର୍ଯ୍ୟ। ବୁଧବାର ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଗଡ଼ିିବ ତିନିରଥ। ଗୁରୁବାର ରଥଯାତ୍ରା। ଚତୁର୍ଦ୍ଧାବିଗ୍ରହ ରଥରେ ବିଜେ ହୋଇ ନବଦିନାତ୍ମକ ଯାତ୍ରାରେ ଯିବେ ଜନ୍ମବେଦୀ।
ମଙ୍ଗଳବାର ଅପରାହ୍ନ ସାଢେ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ। ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଚାଲିବ। ପରିମାଣିକ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି। ଗତବର୍ଷ ଅପେକ୍ଷା ଏଥର ୫୦ ଟଙ୍କା ବୃଦ୍ଧି କରାଯାଇଛି। ସୋମବାର ଶ୍ରୀମନ୍ଦିର ସୂଚନା କେନ୍ଦ୍ରରେ ପରିମାଣିକ ଟିକେଟ ବିକ୍ରି ଆରମ୍ଭ ହୋଇଛି। ପ୍ରାୟ ୫ହଜାର ଟିକେଟ ବିକ୍ରି ଲାଗି ସ୍ଥିର ହୋଇଛି। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ। ଭିତରକାଠ ନିକଟରେ ଟିକେଟଧାରୀ ଦର୍ଶନ କରିବେ। ସାଢେ ୩ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ଭିତରକାଠ ନିକଟରୁ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ଏହି ସମୟରେ ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ବାହାରକୁ ବାହାରିବେ।

ଖଳି ଲାଗିହେଲେ ମହାପ୍ରଭୁ

ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖଳିଲାଗି ହୋଇଛି। ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ରଙ୍କ ସୂଚନା ମୁତାବକ, ରବିବାର ରାତିରେ ମହାପ୍ରଭୁଙ୍କ ଘଣା କଟାଯାଇଥିଲା। ଏହାପରେ ପ୍ରଧାପନ ବୁଣାଟ ହୋଇ ଘଣାଲାଗି କରାଯାଇଥିଲା। ପାଟରା ସେବକଙ୍କଠାରୁ ଆସିଥିବା ନାଗନାଗୁଣୀ ଘଣା ଦାରୁବିଗ୍ରହଙ୍କ ଶରୀର (ପେଟ ଓ ଶ୍ରୀପୟର)ରେ ଲାଗି କରାଯାଇଥିଲା। ଗଡ଼ାବସ୍ତ୍ର ଦିଆଯାଇ ସିଲ୍‌ କରାଯାଇଥିଲା। ଏହି ନୀତି ବଢିବା ପରେ ଅଣସର ଶୁଦ୍ଧ ସୁଆରଙ୍କ ଘରୁ ଖଳି ହାଣ୍ଡି ଅଣାଯାଇ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରାଯାଇଥିଲା। ଏହାପରେ ଶ୍ରୀମୁଖ ଓତା କପଡ଼ା ପକାଯାଇଥିଲା। ଏହି ନୀତି ସମ୍ପନ୍ନ ପରେ ଦତ୍ତମହାପାତ୍ରଙ୍କ ଘରୁ ଅଣାଯାଇଥିବା ଖଡ଼ି ଲାଗି କରାଯାଇଥିଲା।

Share This Article
Leave a Comment