ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା

Odisha Hot News
2 Min Read

ଭୁବନେଶ୍ବର : ବିଜେପୁରରୁ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଅଞ୍ଚଳର ବିକାଶ ପାଇଁ ହାତଖୋଲା ପାଣ୍ଠି ମଞ୍ଜୁର କରିଛନ୍ତି। ପକ୍କା ଘର ଠାରୁ ଆରମ୍ଭ କରି ପାଇପ୍ ଜଳ ‌େଯାଗାଣ, ରାସ୍ତାଘାଟ, ‌େପାଲ ଆଦି ପାଇଁ ବହୁ ଭିତ୍ତିଭୂମି ପ୍ରକଳ୍ପ ଘୋଷଣା କରିଛନ୍ତି। ଉନ୍ନତ ସ୍ବାସ୍ଥ୍ୟ ସେବା, ଷ୍ଟ୍ରିଟ୍‌ ଲାଇଟ୍‌, ଡ୍ରେନେଜ୍, କମ୍ୟୁନିଟି ସେଣ୍ଟର୍‌, ଷ୍ଟାଡିୟମ୍ ଆଦି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ସହ ପ୍ରକଳ୍ପ ଶେଷ ପାଇଁ ସମୟସୀମା ବି ଧାର୍ଯ୍ୟ କରାଯାଇଛି। ନିଜେ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇ ମାସରେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ବିଜେପୁର ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନୀୟ ଲୋକଙ୍କ ଜୀବିକା ପାଇଁ ପ୍ୟାକେଜ୍‌ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବିଜେପୁର ନିର୍ବାଚନମଣ୍ଡଳୀ ମାଟି ଘର ଥିବା ୩୪ ହଜାର ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ‌େଯାଗାଇ ଦିଆଯିବ। ୧୧୨୦ କୋଟି ଟଙ୍କା ବ୍ୟୟରେ ଦୁଇଟି ମେଗା ପାଇପ୍ ଜଳଯୋଗାଣ ଯୋଜନା କାର୍ଯ୍ୟକାରୀ ହେବ। ବରଗଡ଼ ଜିଲ୍ଲାର ୫୦୫ଟି ଗ୍ରାମର ୮ ଲକ୍ଷ ଲୋକ ଏହା ଦ୍ବାରା ଉପକୃତ ହେବେ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁରର ସବୁ ଗାଁକୁ ପାଇପ୍ ଯୋଗେ ଜଳ ଯୋଗାଣ କରାଯିବ। ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନା ଅଧୀନରେ ଗାଇସିଲଟ୍‌ ବ୍ଲକ୍‌ର ବରମୁଣ୍ଡ ପଞ୍ଚାୟତ ପାଇଁ ଏକ ନୂଆ ଉଠା ଜଳସେଚନ ପ୍ରକଳ୍ପ କରାଯିବ। ଏଥିରେ ୪୮ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ଦ୍ବାରା ତିନି ହଜାର ଏକର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ। ବିଜେପୁର ନିର୍ବାଚନମଣ୍ଡଳୀରେ ୨୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଗଭୀର ନଳକୂପ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବିଜେପୁର ଓ ବରପାଲି ଏନ୍‌ଏସିରେ ଜଳଯୋଗାଣ, ଷ୍ଟ୍ରିଟ୍‌ ଲାଇଟ୍‌, ରାସ୍ତା, ଡ୍ରେନେଜ୍, ଟାଉନ୍ ହଲ୍‌, କମ୍ୟୁନିଟି ସେଣ୍ଟର୍, କଲ୍ୟାଣ ମଣ୍ଡପ, ଷ୍ଟାଡିୟମ୍, ମାର୍କେଟ୍‌ କମ୍ପ୍ଲେକ୍ସ, ପାର୍କ, ଅଫିସ୍ ବିଲ୍‌ଡିଂ ଆଦି ଭିତ୍ତିଭୂମି କାମ ୨ ବର୍ଷ ଭିତରେ ଶେଷ ହେବ। ପ୍ରତି ସହର ପାଇଁ ୪୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ହୋଇଛି।
ଚାଷୀମାନଙ୍କୁ ଗୁଣାତ୍ମକ ବିଜୁଳି ଦେବା ପାଇଁ ସ୍ବତନ୍ତ୍ର କୃଷି ଫିଡର୍ ସ୍ଥାପନ ହେବ। ୬୦ କିଲୋମିଟର୍‌ ୩୩ କେଭି ଲାଇନ୍ ଓ ୧୨୫ କିଲୋମିଟରର ୧୧ କେଭି ଲାଇନ୍ ନିର୍ମାଣ ହେବ। ଏହା ବାଦ୍ ଅଧିକ ଭୋଲ୍‌ଟେଜ୍ ପାଇଁ ୫୦ଟି ନୂଆ ଟ୍ରାନ୍ସଫର୍ମର୍ ସ୍ଥାପନ କରାଯିବ। ଗାଇସିଲଟ୍‌ ତହସିଲ୍‌ ଅଧୀନରେ ଗୁଡ଼ରପାଲି, ତଳପାଲି ଓ ଡଙ୍ଗବାହଲରେ ତିନିଟି ନୂଆ ଆର୍‌ଆଇ ସର୍କଲ୍‌ ପ୍ରତିଷ୍ଠା ହେବ। ବିଜେପୁର ବ୍ଲକ୍‌ରେ ତଳପଦର ଗ୍ରାମରେ ନୂଆ ପିଏଚ୍‌ସି ଖୋଲିବ। ଏକ ସପ୍ତାହରେ ବିଜେପୁରର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯିବ। ବିଜେପୁରରେ ସରକାରୀ ଆଇଟିଆଇ ପ୍ରତିଷ୍ଠା ହେବ। ଏହା ବାଦ୍ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ଗା‌ଇସିଲଟ ଓ ବରପାଲୀରେ ପ୍ରତିଷ୍ଠା କରାଯିବ। ୮୦ କିଲୋମିଟର୍‌ର ୪ଟି ନୂଆ ରାସ୍ତା ପ୍ରକଳ୍ପ ଓ ଗୋଟିଏ ପୋଲ ନିର୍ମାଣ ପାଇଁ ୮୨ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି।

Share This Article
Leave a Comment