ରବିଶଙ୍କର ପାଇବେ ୨୯ତମ ‘ଜୟଦେବ ପୁରସ୍କାର’

Odisha Hot News
3 Min Read

ଭୁବନେଶ୍ୱର : ବରିଷ୍ଠ ଚଳଚ୍ଚିତ୍ର ସମ୍ପାଦକ ରବିଶଙ୍କର ପଟ୍ଟନାୟକଙ୍କୁ ୨୦୧୭ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ  ‘ଜୟଦେବ ପୁରସ୍କାର’ ସମ୍ମାନ ମିଳିବ। ପୁରସ୍କାର ବାବଦରେ ପଟ୍ଟନାୟକଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧ରେ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି। ଏଥିସହ ମୋଟ ୨୭ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।

ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ହେଲୋ ଆର୍ସି’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଚଳଚ୍ଚିତ୍ରର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ଚଳଚ୍ଚିତ୍ର ‘ହେଲୋ ଆର୍ସି’ ପାଇଁ ଏଥର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସ୍ବର୍ଗତ ସମ୍ବିତ୍‌ ମହାନ୍ତି ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ପାଇବେ। ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍ସି’ର ପାର୍ଥସାରଥି ରାୟ ମନୋନୀତ ହୋଇଥିବାବେଳେ ‘ଲୈଲା ଓ ଲୈଲା’ ଫିଲ୍ମ ପାଇଁ ସନ୍‌ମିରା ନାଗେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଲୈଲା ଓ ଲୈଲା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବୈଦ୍ୟନାଥ ଦାଶଙ୍କୁ ଏଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକଭାବେ ‘ବାଳକୃଷ୍ଣ ଦାଶ ସମ୍ମାନ’ ପ୍ରଦାନ କରାଯିବ। ‘ଦୃଷ୍ଟାନ୍ତ’ର ଜିତେନ୍ଦ୍ରନାଥ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ‘ସପନର ପଥେ ପଥେ’ ଚଳଚ୍ଚିତ୍ରର ‘ବିତି ଯାଇଛି କେତେଦିନ…’ ଗୀତ ପାଇଁ ସତ୍ୟଜିତ୍‌ ପ୍ରଧାନଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ…’ ପାଇଁ ଅସୀମା ପଣ୍ଡାଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା’, ‘ଶିବା ନଟ୍‌ ଆଉଟ୍‌’ ଚଳଚ୍ଚିତ୍ରର ଧ୍ରୁବାନନ୍ଦ ପଣ୍ଡାଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ପ୍ରାମାଣିକ ଚଳଚ୍ଚିତ୍ର ‘କ୍ଷଣିକା’ ପାଇଁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’, ‘ତୁ ମୋ ଲଭ୍‌ ଷ୍ଟୋରୀ’ ଚଳଚ୍ଚିତ୍ରର ‘ଟିକେ ଟିକେ ଅଚିହ୍ନା ତୁ’ ଗୀତ ପାଇଁ ଅରୁଣ ମନ୍ତ୍ରୀଙ୍କୁ ‘ଶ୍ରେଷ୍ଠ ଗୀତିକାର’ ଓ ସେହି ଫିଲ୍ମର ଦେବୀଦତ୍ତ ମହାନ୍ତିଙ୍କୁ ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ସମ୍ମାନିତ କରାଯିବ।

‘ଖାଣ୍ଟି ଓଡ଼ିଆ ଝିଅ’ ଚଳଚ୍ଚିତ୍ରର ମନୋଜ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ମାମୁନି ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ’, ‘ହିରୋ ନଂ. ୱାନ’ର ତ୍ରିଭୁବନ ପଣ୍ଡାଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ‘ସପନଟିଏ’ ଚଳଚ୍ଚିତ୍ରର ମାଗୁଣି ପାତ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ତୁ ମୋ ଲଭ୍‌ ଷ୍ଟୋରୀ’ର ସୁବାସ ବେହେରାଙ୍କୁ ‘ଶ୍ରେଷ୍ଠ କଳା ନିର୍ଦ୍ଦେଶକ’, ‘ହେଲୋ ଆର୍ସି’ର ସୁବାସ ସାହୁଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ବତନ୍ତ୍ର ଜୁରୀ ବିଭାଗରେ ଏଥର ‘ଶିବା ନଟ୍‌ ଆଉଟ୍‌’ର ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ପୁରସ୍କୃତ କରାଯିବ। ଏହାସହିତ ‘ଦୃଷ୍ଟାନ୍ତ’ ଚଳଚ୍ଚିତ୍ରକୁ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’, ‘ହେଲୋ ଆର୍ସି’ର ସମ୍ବିତ୍‌ ମହାନ୍ତିଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ‘ଜଷ୍ଟ ମୋହବତ୍‌’ର ଅରୁଣ ପାଟରାଙ୍କୁ ‘ଶ୍ରେଷ୍ଠ ବେଶପୋଷାକ ସଜ୍ଜାକାରୀ’, ଏସ୍‌.କେ ମୁରଲୀଧରନ୍‌ଙ୍କୁ ଶ୍ରେଷ୍ଠ ନୃତ୍ୟ ସଂଯୋଜକ, ‘ଜଗନ୍ନାଥ ଧାମ ପୁରୀ’ର ମାନସ ବେହେରାଙ୍କୁ ‘ଶ୍ରେଷ୍ଠ ରୂପ ସଜ୍ଜାକାରୀ’ ଭାବେ ପୁରସ୍କୃତ କରାଯିବ।

Share This Article
Leave a comment