ମୁମ୍ବାଇରେ ପହଂଚିଲେ ମୁଖ୍ୟମନ୍ତ୍ରୀ – Fast News Network

Odisha Hot News
2 Min Read

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ଗସ୍ତରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୪ତାରିଖରେ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ। ଏହି ଅବସରରେ ସେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସମେତ କେତେକ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଭେଟି ଆଲୋଚନା କରିବା ସହ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା ସମ୍ମିଳନୀ ସାମିଲ୍‌ ହେବାକୁ ନିମନ୍ତ୍ରଣ ଦେବେ। ଏହାସହ ଓଡ଼ିଶାରେ ପୁଞ୍ଜିନିବେଶ କଲେ କି’ ପ୍ରକାରର ସହଯୋଗ ଯୋଗାଇଦେବେ ସେନେଇ ଆଲୋଚନା କରିବେ।
ସେହିପରି ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ବେଲ୍‌ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ। ସୂଚନାଯୋଗ୍ୟ ଯୋଗ୍ୟ କୋଭିଡ ପାଇଁ ଗତ ଦୁଇ ବର୍ଷ ହେଲା ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ହୋଇପାରିନଥିବାବେଳେ ପୂର୍ବରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପୁଞ୍ଜିପତିମାନେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁଯାୟୀ ରାଜ୍ୟରେ ପୁଞ୍ଜିନିବେଶ ହୋଇନାହିଁ। ତେଣୁ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଯେପରି ସଫଳ ହେବ ଏବଂ ପ୍ରତିଶ୍ରୁତି ଅନୁଯାୟୀ ପୁଞ୍ଜିନିବେଶ ହେବ ସେଥିପାଇଁ ରାଜ୍ୟ ସରକାର ଜୋରଦାର୍‌ ପ୍ରସ୍ତୁତି ଚଳାଇଛନ୍ତି। ଦୁବାଇ, ଦିଲ୍ଲୀ ଏବଂ ଅହମ୍ମଦାବାଦରେ ନିବେଶକ ସମ୍ମିଳନୀ କରିବା ପରେ ରାଜ୍ୟ ସରକାର ମୁମ୍ବାଇରେ ଏହି ସମ୍ମିଳନୀ କରିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପୂର୍ବରୁ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ୧୫ତାରିଖ ଅପରାହ୍ନରେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

Share This Article