ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯୧ରେ ପହଞ୍ଚିଲା, ଆଜି ୫ ସଂକ୍ରମିତଙ୍କର ମୃତ୍ୟୁ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ୟରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଉପରୋକ୍ତ ୫ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାର ଜଣେ ଲେଖାଏଁ ଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୭୦ ବର୍ଷୀୟ ମହିଳା ଥିବା ସୂଚନା ମିଳିଛି। ଏହାଛଡ଼ା ଗଞ୍ଜାମର ୩୯ ଓ ୪୪ ବର୍ଷିୟ ୨ ପୁରୁଷ କରୋନା ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୩୯ ବର୍ଷିୟ ପୁରୁଷ ରୋଗୀ ମଧୁମେହ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୋଲି ତଥ୍ୟ ପ୍ରଦାନ କରାଯାଇଛି। ଅପରପକ୍ଷରେ ଜଗତସିଂହପୁରର ଜଣେ ୬୭ ବର୍ଷିୟ ପୁରୁଷ ମଧୁମେହ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ର ୬୫ ବର୍ଷୀୟା ମହିଳାଙ୍କର ବି କରୋନାରେ ମୃତ୍ୟୁ ଘଟିଛି । ସଂପୃକ୍ତ ମହିଳା ମଧୁମେହ ଓ ବ୍ରୋଙ୍କାଇଟିସରେ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।

ସୂଚନାଯୋଗ୍ୟ, ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୪୮୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୫୫ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ୧୧, ୯୩୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୮୧ ରହିଛି।

Share This Article