କ୍ୟାବିନେଟ ନିଷ୍ପତ୍ତି:ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ ହେବ

Odisha Hot News
2 Min Read

ଭୁବନେଶ୍ୱର :ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ ଦିଆଯାଇଥିବା ସଂକଳ୍ପକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଆରମ୍ଭରେ ଚାଇନା ସହ ସଂଘର୍ଷରେ ପ୍ରାଣବଳୀ ଦେଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶହୀଦଙ୍କ ସ୍ମୃତିରେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଆଇନ ବିଭାଗ ପକ୍ଷରୁ ରଥଯାତ୍ରା ବନ୍ଦ ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ବୈଠକରେ ଯୋଗଦେଇ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିଷୟରେ କ୍ୟାବିନେଟକୁ ଅବଗତ କରାଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଉଚ୍ଚତମ ନ୍ୟୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ହେବ। ଏଥି ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଓ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲାର ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସରକାର ମେ ୩୦ ଏବଂ ରାଜ୍ୟ ସରକାର ଜୁନ୍‌ ୧ ତାରିଖରେ କୋଭିଡ୍‌-୧୯ ପରିଚାଳନା ପାଇଁ ଜାରି କରିଥିବା ସମସ୍ତ ନିର୍ଦ୍ଦେଶାବଳୀ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।
ଏହି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା। ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ। ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖର ପଥ ପ୍ରଦର୍ଶକ। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି। ସେହି ଲୀଳାମୟ ହିଁ ସବୁର କର୍ତ୍ତା। ସବୁର ନିୟନ୍ତା। ଆମେ କେବଳ ନିମିତ୍ତ ମାତ୍ର। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ। ମହାପ୍ରଭୁଙ୍କର ଇଚ୍ଛାକୁ ସମର୍ପିତ ଭାବେ ଗ୍ରହଣ କରି ଜୀବନ ଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି। ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢୁଛି ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

Share This Article