ଭୁବନେଶ୍ବର : ଦୀର୍ଘ ଅଢେଇ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଦେଶରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ। ଏହା ସହିତ ଖୋଲୁଛି ମଲ୍ ଓ ରେଷ୍ଟୁରାଣ୍ଟ । ଅନେକ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲା ଯାଇଥିବା ବେଳେ କେନ୍ଦ୍ରର ସମସ୍ତ ଗାଇଡ୍ ଲାଇନ୍ ପାଳନ କରି ଭିରକୁ ଯିବେ ଶ୍ରଦ୍ଧାଳୁ । ଅନ୍ଯପଟେ କଣ୍ଟେନମେଣ୍ଟ ଜୋନ୍ ରେ ଥିବା ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।
ତେବେ ଭକ୍ତଙ୍କ ପ୍ରବେଶ ପୂର୍ବରୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍ କରାଯାଇଛି । ସେହିଭଳି ମଲ୍ ଆଉ ରେଷ୍ଟୁରାଣ୍ଟ ମଧ୍ଯ ଖୋଲୁଛି । ରେଷ୍ଟୁରାଣ୍ଟରେ ଖାଇବା ଅପେକ୍ଷା ପାର୍ସଲ ନେବା ପାଇଁ ଅଧିକ ଗୁରୁତ୍ୱ ଦିଆଯିବ । ସାମାଜିକ ଦୂରତା ପାଇଁ ୬ ଫୁଟ ବ୍ୟବଧାନ, ଫେସ୍ ମାସ୍କ ବାଧ୍ୟତାମୂଳକ ରହିଛି । ପ୍ରବେଶ ବେଳେ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ହେବ ।
ସ୍କ୍ରିନିଂ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ହିଁ କେବଳ ରେଷ୍ଟୁରାଣ୍ଟ ଭିତରକୁ ଯିବାକୁ ଅନୁମତି ମିଳିବ । ଗ୍ରାହକଙ୍କ ପାଇଁ ପ୍ରବେଶ ଆଉ ପ୍ରସ୍ଥାନ ଦ୍ୱାର ଅଲଗା ରହିବ । ମଲ୍ ପାଇଁ ବି ଜାରି ହୋଇଛି ଏସଓପି । ଅନ୍ଯପଟେ ଆଜିଠୁ ରାଜଧାନୀ ଦିଲ୍ଲୀର ସିଲ୍ ହୋଇଥିବା ସୀମା ଖୋଲିବାକୁ କେଜ୍ରିଓ୍ଵାଲ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ।
ତେବେ ଓଡ଼ିଶାରେ ଏହି ନିୟମ ସମ୍ପୂର୍ଣ୍ଣ ଲାଗୁ ହେବନି। ରାଜ୍ୟରେ ଜୁନ୍ ୩୦ ଯାଏଁ ଧାର୍ମିକ ଅନୁଷ୍ଠାନ ବନ୍ଦ୍ ରହିବ। ସେହିଭଳି ସପିଙ୍ଗ୍ ମଲ ମଧ୍ୟ ଜୁନ୍ ୩୦ ଯାଏ ନଖୋଲିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ହୋଟେଲଗୁଡ଼ିକ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ଅନୁମତି ମିଳିଛି। କେବଳ ହୋଟେଲ ଭିତରେ ରହୁଥିବା ଅତିଥିଙ୍କୁ ରେସ୍ତୋରାଁ ସେବା ମିଳିବ।
ସେହିଭଳି ରେସ୍ତୋରାଁଗୁଡ଼ିକ କେବଳ ହୋମ୍ ଡେଲିଭରି ଓ ପାର୍ସଲ ସେବା ଯୋଗାଇ ପାରିବେ।
Comment