ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ନୀତି ନିର୍ଘଣ୍ଟ

Odisha Hot News
2 Min Read

ପୁରୀ : ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ହେବ ସ୍ନାନଯାତ୍ରା । ପ୍ରଥମ ଥର ପାଇଁ ମଧ୍ୟ ରାତ୍ରୀ ପରେ ରାତି ଗୋଟାଏରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ହୋଇ ହେବ ପହଣ୍ଡି । ରାତି ୪ଟା ମଧ୍ୟରେ ପହଣ୍ଡି ଶେଷ ହୋଇ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ସକାଳ ୭ ଟା ୩୦ ରୁ ୯ଟା ୩୦ ମଧ୍ୟରେ ଜଳବିଜେ ଓ ସ୍ନାନ ନୀତି ହେବ। ସକାଳ ୧୦ଟା ୩୦ ରେ ଛେରାପହଁରା ଗଜପତିଙ୍କ ଦ୍ବାରା ସହପାଦିତ ହେବା ପରେ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ହାତୀ ବେଶ ହେବ। ପରେ ସନ୍ଧ୍ୟା ୫ ଟା ରୁ ୮ ଟା ମଧ୍ୟରେ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ ନୀତି ପାଇଁ ଆଲୋଚନା ହୋଇଛି । ସାମାଜିକ ଦୂରତ୍ବ ରକ୍ଷା କରିବା ସହ ମହାପ୍ରଭୁଙ୍କ ସମସ୍ତ ନୀତି କିପରି ସମୟ ପୂର୍ବରୁ ହେବ ସେ ନେଇ ସବୁ ନିଯୋଗ ଓ ସେବାୟତଙ୍କ ସହଯୋଗ କାମନା କରିଛି ପ୍ରଶାସନ ।

ତେବେ ସ୍ନାନଯାତ୍ରା ଭକ୍ତମାନେ ଦେଖିପାରିବେ କି ନାହିଁ ତାହା ୩୧ ତାରିଖ ଲକ୍ ଡାଉନ୍ କଟକଣା ଉଠିବା ପରେ ନିଷ୍ପତ୍ତି ନିଆଯିବ। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ପ୍ରଥମ ଥର ପାଇଁ ରାତି ୧ଟାରେ ପହଣ୍ଡି ବିଜେ ହେବାକୁ ଥିବାବେଳେ ସେବାୟତମାନେ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷେକ ନୀତିଠାରୁ ଉଭା ଯାତ୍ରା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ସଂପର୍କରେ ଆଲୋଚନା ହୋଇଥିଲା । ତେବେ ସ୍ନାନଯାତ୍ରା ସହ ଏ ସମସ୍ତ ନୀତି ଚୂଡାନ୍ତ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ଏହା ଅନୁମୋଦିତ ହେବ। ସେପଟେ ରଥଖଳାରେ ରଥ କାମ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି

Share This Article