ଭୁବନେଶ୍ୱର: ରାଜ୍ୟର କୃଷି ବ୍ୟବସ୍ଥାକୁ ଅଧିକ ସ୍ଥାୟୀ ଓ ଜଳବାୟୁ ସହନଶୀଳ କରିବା ସହ ପୁଷ୍ଟି ସୁରକ୍ଷା, ମହିଳା ସଶକ୍ତିକରଣ, ଜୈବବିବିଧତା ସଂରକ୍ଷଣ ଏବଂ ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ଜୀବିକାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଉଦ୍ଦେଶ୍ୟରେ ମଙ୍ଗଳବାର ଲୋକସେବା ଭବନଠାରେ ଓଡ଼ିଶା ସରକାର ଏବଂ ଏମ୍.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏମଏସଏସଆରଏଫ୍)ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଓଡ଼ିଶାମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଏବଂ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏମଏସଏସଆରଏଫ୍ ର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ୍ ଓ ଅନ୍ୟ ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭାଶ୍ରୀ ନନ୍ଦ ଏବଂ ଫାଉଣ୍ଡେସନ୍ ପକ୍ଷରୁ ଡ. ସୌମ୍ୟା ସ୍ୱାମୀନାଥନ୍ ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ।
ଏହି ସହଭାଗିତା ମାଧ୍ୟମରେ କୃଷି, ପୁଷ୍ଟି, ସ୍ୱାସ୍ଥ୍ୟ, ପରିବେଶ ଓ ଜୀବିକା କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା, ପାରମ୍ପରିକ ଜ୍ଞାନ ଓ ସରକାରୀ ନୀତିର ସମନ୍ୱୟ କରାଯିବ। ଏମଏସଏସଆରଏଫ୍ ରାଜ୍ୟ ସରକାରଙ୍କ ବୈଷୟିକ ଜ୍ଞାନ ସହଯୋଗୀ (ଟେକ୍ନିକାଲ ନଲେଜ ପାର୍ଟନର) ଭାବେ କାର୍ଯ୍ୟ କରି ବିଭିନ୍ନ ବିଭାଗକୁ ନୀତି ପ୍ରଣୟନ, କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତି, ଗବେଷଣା, ଦକ୍ଷତା ବିକାଶ, ନବସୃଜନ ଓ କାର୍ଯ୍ୟକ୍ରମର ବିସ୍ତାର କ୍ଷେତ୍ରରେ ବୈଷୟିକ ସହଯୋଗ ଯୋଗାଇଦେବ । ଏହି ସହଯୋଗରେ ଜଳବାୟୁ ସହନଶୀଳ କୃଷି, କୃଷି-ପରିବେଶଭିତ୍ତିକ ଚାଷ ପଦ୍ଧତି, ମିଲେଟ୍ ଓ ଅନ୍ୟାନ୍ୟ ବିକଳ୍ପ ଫସଲର ପ୍ରୋତ୍ସାହନ, ପାରମ୍ପରିକ ବିହନ ଓ କୃଷି ଜୈବବିବିଧତାର ସଂରକ୍ଷଣ ତଥା ସ୍ଥାୟୀ ଖାଦ୍ୟ ବ୍ୟବସ୍ଥାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ଏଥିସହ ମହିଳା କୃଷକଙ୍କ ଅଂଶଗ୍ରହଣ, ଆର୍ଥିକ ସଶକ୍ତିକରଣ, ଉଦ୍ୟୋଗ ବିକାଶ ଓ ବଜାର ସଂଯୋଗକୁ ସୁଦୃଢ଼ କରାଯିବ। ‘ସୁଭଦ୍ରା ଫାଷ୍ଟ’ ଆଭିମୁଖ୍ୟ ଅନୁଯାୟୀ ମହିଳା ଓ ସାମାଜିକ-ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଗୁଡ଼ିକୁ ଜୀବିକା ସୁଯୋଗ ସହ ଯୋଡ଼ାଯିବାର ଲକ୍ଷ୍ୟ ରହିଛି ।
କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ବାୟୋ-ହାପିନେସ୍ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ଜୈବବିବିଧତା ପରିଚାଳନା, ପରିବେଶ ଅନୁକୂଳ କୃଷି ଓ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ପ୍ରୋତ୍ସାହନ ଦିଆଯିବ। ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ପୁଷ୍ଟି ଓ ସ୍ୱାସ୍ଥ୍ୟ ସୁରକ୍ଷା, ସ୍ଥାନୀୟ ଖାଦ୍ୟ ବ୍ୟବସ୍ଥାର ଉନ୍ନତି ଏବଂ ଜୀବିକା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦିଆଯିବ। ଉପକୂଳବର୍ତ୍ତୀ ଅଞ୍ଚଳର କ୍ଷୁଦ୍ର ମତ୍ସ୍ୟଜୀବୀଙ୍କ ଜୀବିକା ଓ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ‘ଫିସର ଫ୍ରେଣ୍ଡ’ ମୋବାଇଲ୍ ଆପ୍ଲିକେସନର ଉନ୍ନତି, ଡିଜିଟାଲ୍ ସେବାର ପ୍ରସାର, ମତ୍ସ୍ୟଜାତ ଦ୍ରବ୍ୟର ସଂରକ୍ଷଣ ଓ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ସହ ମହିଳା ମତ୍ସ୍ୟଜୀବୀଙ୍କ ଉଦ୍ୟୋଗ ବିକାଶକୁ ସହାୟତା କରାଯିବ। ଏଥିସହ ଜଳାଶୟ, ଆର୍ଦ୍ରଭୂମି, ହେନ୍ତାଳବନ ଓ ଉପକୂଳବର୍ତ୍ତୀ ପରିବେଶର ସଂରକ୍ଷଣ ଓ ପୁନରୁଦ୍ଧାର ଦିଗରେ ମିଳିତ ଭାବେ କାର୍ଯ୍ୟ କରାଯିବ।
ଦାଦନ ପ୍ରବଣ ଅଞ୍ଚଳରେ ସ୍ଥାନୀୟ ଜୀବିକା ସୃଷ୍ଟି, କୃଷି ଓ ଆନୁଷଙ୍ଗିକ କାର୍ଯ୍ୟର ପ୍ରସାର, ଦକ୍ଷତା ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗକୁ ସୁଦୃଢ଼ କରିବା ଓ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ସ୍ଥାନୀୟ ସ୍ତରରେ ନିଯୁକ୍ତି ଓ ଆୟର ସୁଯୋଗ ବୃଦ୍ଧି ସହ ଦାଦନଜନିତ ଅସୁରକ୍ଷା ହ୍ରାସରେ ସହାୟତା ମିଳିବ।ବୁଝାମଣାପତ୍ରର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ କରାଯିବ। ଏଥିରେ ସମ୍ପୃକ୍ତ ବିଭାଗଗୁଡ଼ିକର ସଚିବ ଓ ଏମଏସଏସଆରଏଫର ପ୍ରତିନିଧି ସଦସ୍ୟ ରହିବେ। କମିଟି ନିୟମିତ ବୈଠକ କରି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ଫଳାଫଳ ଓ କାର୍ଯ୍ୟକାରିତାର ସମୀକ୍ଷା କରିବ।

Comment